ଟୀକା ପାଇଁ ଟେନସନ ନାହିଁ । ଏଣିକି ସବୁ ଘରୋଇ ହସ୍ପିଟାଲରେ ମିଳିବ କରୋନା ଟୀକା । ନୂଆ ନିଷ୍ପତ୍ତି ନେଇ ସବୁ ରାଜ୍ୟକୁ ଜଣାଇଲା କେନ୍ଦ୍ର ।

300

କନକ ବ୍ୟୁରୋ; ସବୁ ଘରୋଇ ହସ୍ପିଟାଲରେ ମିଳିବ କରୋନା ଟୀକା । ରାଜ୍ୟ ସରକାରମାନଙ୍କୁ ଅଇଜ୍ଞଚ୍ଛ କରାଇଲେ କେନ୍ଦ୍ର ସରକାର । ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ରର ନୂଆ ନିଷ୍ପତ୍ତି । ତେବେ ଇତି ମଧରେ ଓଡିଶାରେ ଆରମ୍ଭ ହୋଇଛି ୨ୟ ପର୍ଯ୍ୟାୟ ଟୀକାକରଣ । ଭ୍ୟାକଲିନ ନେବାକୁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଏବେ କେନ୍ଦ୍ର ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି ।

ସେପଟେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଘରୋଇ ହସ୍ପିଟାଲରୁ ଆସୁଥିବା ଖବରରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଟିକାକରଣକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଟିକାକରଣ, ଯେମିତି ଟିକା ନେବାକୁ ଆଗ୍ରହୀ ଥିବା ବରିଷ୍ଠ ନାଗରିକଙ୍କ ଉତ୍ସାହ ବଢ଼ାଇ ଦେଇଛି । ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ ଦିନରେ ସରକାରୀ କେନ୍ଦ୍ରଗୁଡ଼ିକରେ ଟିକାକରଣ, ସ୍ୱାଭାବିକ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଘରୋଇ ହସ୍ପିଟାଲରେ ଟିକାଦାନ ଆରମ୍ଭ ହୋଇଛି । ବିଏମସି ଅଧିନରେ ଥିବା ୧୫ଟି ଘରୋଇ ହସ୍ପିଟାଲରେ କରୋନା ଟିକା ଦିଆଯାଉଛି । ସମ୍, କିମ୍ସ, କଳିଙ୍ଗ, ସମେତ ବ୍ଲୁ-ହ୍ୱିଲ୍, ଆଦିତ୍ୟ ଅଶ୍ୱିନୀ, ଆମ୍ରି, ଉକ୍ରଳ ହସ୍ପିଟାଲରେ ଟିକା ଦିଆଯାଉଛି । ସେହିପରି ନୀଳାଚଳ, ହାଇଟେକ୍, କେୟାର, ଏଲ୍.ଭି ପ୍ରସାଦ ଆଇ ହସ୍ପିଟାଲ, ସ୍ପର୍ଶ, ବିବେକାନନ୍ଦ, ଆପୋଲୋ ଏବଂ ସମ୍ ଅଲ୍ଟିମେଟ ହସ୍ପିଟାଲରେ ମଧ୍ୟ କରୋନା ଟିକା ଦିଆଯାଉଛି ।

ଏସବୁ ଭିତରେ ସାରା ଓଡ଼ିଶାରେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ପ୍ରଥମ ଦିନରେ ୧୧ ହଜାର ୨୮୯ ଜଣ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଟିକା ଦିଆଯାଇଛି । ସେହିପରି ବିଭିନ୍ନ ଗୁରୁତର ରୋଗରେ ପୀଡ଼ିତ ଥିବା ୪୫ ବର୍ଷରୁ ଅଧିକ ୩ଶହ ଜଣଙ୍କୁ କରୋନା ଟିକା ଦିଆଯାଇଛି । ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ମିଶାଇ ପ୍ରଥମ ଦିନରେ ମୋଟ୍ ୨୧ ହଜାର ୯୧୪ ଜଣଙ୍କୁ ଟିକା ଦିଆଯାଇଛି ।

ଦ୍ୱିତୀୟ ଦିନରେ ବିଧାନସଭା ଡିସପେନସାରୀରେ ମଧ୍ୟ ସ୍ୱାଭାବିକ ଟିକାକରଣ ହୋଇଛି । କଂଗ୍ରେସ ବିଧାୟକ ସୁର ରାଉତ ରାୟ, ତାଙ୍କ ପତ୍ନୀଙ୍କ ସହ ଆସି ଟିକା ନେଇଛନ୍ତି । ଟିକା ନେବା ପାଇଁ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଆସିଥିଲେ ମଧ୍ୟ ତାଙ୍କୁ ଟିକା ନଦେଇ ଫେରାଇ ଦିଆଯାଇଛି । କାରଣ, ଗାଇଡଲାଇନ୍ ଅନୁସାରେ ସେ ଟିକା ନେବା ପାଇଁ ଯୋଗ୍ୟ ବିବେଚିତ ହୋଇନଥିଲେ । ଏସବୁ ଭିତରେ ଟିକାକରଣ ଆହୁରି ଜୋରଦାର କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ମୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ । ଏଥିରେ ଅଧିକ ଟିକା କେନ୍ଦ୍ର ଖୋଲିବା ପାଇଁ ଲେଖାଯାଇଛି ।