ନୂଆ ବର୍ଷରେ ଆସିପାରେ କରୋନା ଟିକା । ସେରମ ଇନଷ୍ଟିଚ୍ୟୁଟ ମୁଖ୍ୟ ଆଦର ପୁନାୱାଲା କହିଲେ, ଜରୁରୀ ଅନୁମୋଦନ ମିଳିଲେ ଡିସେମ୍ବରରେ ପ୍ରସ୍ତୁତ ହୋଇପାରିବ ଟିକା । ୨୦୨୧ ତୃତୀୟ କ୍ୱାଟର ସୁଦ୍ଧା ପ୍ରସ୍ତୁତ ହୋଇଯିବ ୧୦ କୋଟି ଡୋଜ୍ 

208

କନକ ବ୍ୟୁରୋ : କେବେ ଆସିବ କୋଭିଡ୍ ଭ୍ୟାକସିନ । ଏହାକୁ ସାରା ବିଶ୍ୱ ଅନାଇ ବସିଛି । ଏଭଳି ସମୟରେ ଆଶ୍ୱସ୍ତିକର ବୟାନ ଦେଇଛନ୍ତି ଟିକା ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ ଅଦାର ପୁନାୱାଲା । ସେ କହିଛନ୍ତି, ଜରୁରୀକାଳିନ ଭିତିରେ ଭାରତ ସରକାର ଅନୁମତି ଦେଲେ, ଡିସେମ୍ବର ସୁଦ୍ଧା ଟିକା ପ୍ରସ୍ତୁତ ହୋଇଯିବ । ଏହା ପରେ ୨୦୨୧ରେ, ପ୍ରଥମ ଓ ଦ୍ୱିତୀୟ କ୍ୱାର୍ଟରର ପ୍ରଥମ ଦଫାରେ ୧୦ କୋଟି ଡୋଜ୍ ଉପଲବ୍ଧ ହେବ ।

ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଆଶ୍ୱସ୍ତ କରିବା ଭଳି ସୂଚନା ଦେଇଛନ୍ତି ସେରମ ଇନ୍ଷ୍ଟିଚ୍ୟୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଦାର ପୁନାୱାଲା । ଡିସେମ୍ବର ସୁଦ୍ଧା ଏହାର ପ୍ରସ୍ତୁତ ସରିବା ପରେ ଏହାର ପ୍ରଥମ ଦଫାରେ ପ୍ରାୟ ୧୦ କୋଟି ଡୋଜ୍ ଟିକା ୨୦୨୧ ମସିହା ଦ୍ୱିତୀୟ ବା ତୃତୀୟ କ୍ୱାର୍ଟରରେ ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି ।  ତେବେ ବ୍ରିଟେନ୍ରେ ପରୀକ୍ଷଣ ଆଗୁଆ ରହିଛି ଏବଂ ଏହାର ରିପୋର୍ଟ ଆଧାରରେ ସରକାର ଚାହିଁଲେ ଜରୁରୀକାଳୀନ ଅନୁମତି ଦେଇପାରିବେ । ଏଦିଗରେ ମଧ୍ୟରେ ସେରମ ଇନ୍ଷ୍ଟିଚ୍ୟୁଟ୍ ଆବେଦନ କରିବ ବୋଲି ସେ କହିଛନ୍ତି ।

ଡିସେମ୍ବର ଶେଷ ସୁଦ୍ଧା ଭାରତରେ ଏହି କରୋନା ଟିକାର ପରୀକ୍ଷଣ ଶେଷ ହେବ । ବର୍ତମାନ ଚାଲିଥିବା ପରୀକ୍ଷଣ ଅନୁସାରେ ସମସ୍ତ ତଥ୍ୟ ସୁରକ୍ଷା ମାନକ ମଧ୍ୟରେ ରହୁଛି । ଏହି ପରୀକ୍ଷଣରେ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ସାମିଲ କରାଯାଇଛି । ସଦ୍ୟଜାତ ଶିଶୁଙ୍କ ପାଇଁ ଟିକା ପ୍ରସ୍ତୁତ କରୁଥିବା ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଟିକାର ମାନକୁ ନେଇ ଦୃଢ ନିଶ୍ଚିତ ବୋଲି ପୁନାୱାଲା କହିଛନ୍ତି ।

ତେବେ ଟିକା ପ୍ରଦାନ ପରେ ଦୀର୍ଘକାଳୀନ ପ୍ରତିରୋଧକ ଶକ୍ତି ଆସୁଛି ନା ନାହିଁ ସେନେଇ ବର୍ଷେ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡିବ ବୋଲି ସୂଚନା ଦେଇଛନ୍ତି ସେରମ୍ ଇନ୍ଷ୍ଟିଚ୍ୟୁଟ୍ ମୁଖ୍ୟ । ଏହା ସହ ପ୍ରଥମ ଡୋଜ୍ ଟିକା ନେବାର ପ୍ରାୟ ମାସକ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେବାକୁ ପଡିବ । ଏହା ଦୀର୍ଘକାଳୀନ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।