କୁନି ପିଲାଙ୍କ କରୋନା ଟିକା । କ୍ଲିନିକାଲ ଟ୍ରାଏଲ ପାଇଁ ସରକାରଙ୍କ ଅନୁମୋଦନ ପରେ ଆରମ୍ଭ ହେଲା ପ୍ରକ୍ରିୟା । ଟିକା ପରୀକ୍ଷା ପାଇଁ ଦିଲ୍ଲୀ ଏମ୍ସରେ କରାଗଲା ସ୍କ୍ରିନିଂ

125

କନକ ବ୍ୟୁରୋ: ପିଲାଙ୍କ ଉପରେ ଟିକାର ପରୀକ୍ଷଣକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ଦେଶରେ ଆରମ୍ଭ ହୋଇଛି ପିଲାଙ୍କ ଉପରେ ଟିକାର ପରୀକ୍ଷଣ । ସ୍ୱଦେଶୀ ଟୀକା କୋଭ୍ୟାକ୍ସିନର ମାନବ ପରୀକ୍ଷଣ ପିଲାଙ୍କ ଉପରେ କରିବା ପାଇଁ ଦିଲ୍ଲୀ ଏମ୍ସରେ ସୋମାବାରଠାରୁ ଆରମ୍ଭ ହୋଇଛି ସ୍କ୍ରିନିଂ । ସ୍କ୍ରିନିଂ ରିପୋର୍ଟ ଆସିବା ପରେ ପିଲାଙ୍କୁ ଦିଆଯିବ କରୋନା ଟିକା । ଏଥିପାଇଁ ୫୨୫ଜଣ ସ୍ୱେଚ୍ଛାସେବୀଙ୍କୁ ଚୟନ କରାଯାଇଛି ।

ଦିଲ୍ଲୀରେ ସୋମବାରଠାର କୋଭାକ୍ସିନର ମାନବ ପରୀକ୍ଷଣ ପାଇଁ ପିଲାଙ୍କ ସ୍କ୍ରିନିଂ ଆରମ୍ଭ ହୋଇ ଯାଇଛି । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍, ଦେଶର ୨ ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଉପଯୁକ୍ତକି ନାହିଁ ତାହା ଉପରେ ଆରମ୍ଭ ହୋଇଛି ପରୀକ୍ଷା । ଭାରତ ବାୟୋଟେକ୍ ସହ ମିଳିତ ଭାବରେ ଏମ୍ସ ଏହି ପରୀକ୍ଷଣ ଆରମ୍ଭ କରିଛି । ମିଳିଥିବାସୂଚନା ଅନୁସାରେ :

– ସ୍କ୍ରିନିଂ ରିପୋର୍ଟ ଆସିବା ପରେ ପିଲାଙ୍କ ଉପରେ ଭାକ୍ସିନ ପରୀକ୍ଷା ଆରମ୍ଭ କରାଯିବ
– ପରୀକ୍ଷଣ ପାଇଁ ୫୨୫ ଜଣ ସ୍ୱେଚ୍ଛାସେବୀଙ୍କୁ ବଛା ଯାଇଛି
– ୨ ବର୍ଷରୁ ୧୮ ବର୍ଷମଧ୍ୟରେ ପିଲାଙ୍କ ଉପରେ ଟିକା ପରୀକ୍ଷଣ କରାଯିବ
– ପରୀକ୍ଷଣରେ ପିଲାଙ୍କୁ ମଧ୍ୟ ୨୮ ଦିନ ଅନ୍ତରାଳରେ ଟିକାର ୨ଟି ଡୋଜ୍ ଦିଆଯିବ

ଏମ୍ସର ପ୍ରିନ୍ସିପାଲଇନ୍ ଭେଷ୍ଟିଗେଟର ଡାକ୍ତର ସଂଜୟରାୟ ସୂଚନା ଦେଇଛନ୍ତି – କୋଭାକ୍ସିନର ମାନବ ପରୀକ୍ଷଣ ପାଇଁ ୧୦ ଗୁଣା ଅଧିକ ପିଲା ଆବେଦନ କରିଛନ୍ତି । ଯାହାକୁ ଦେଖି ଅନୁମାନ କରାଯାଉଛି ଯେ, ପିଲାମାନେ କୋଭିଡ୍ ଭ୍ୟାକ୍ସିନ୍ ନେବା ପାଇଁ ଉତ୍ସାହିତ ଅଛନ୍ତି । ତେବେ

– ପରୀକ୍ଷଣ ପାଇଁ ବଛା ଯାଇଥିବା ସ୍ୱେଚ୍ଛସେବୀ ପିଲାଙ୍କୁ ୩ଟି ବିଭାଗରେ ବିଭକ୍ତ କରାଯାଇଛି
– ପ୍ରଥମ ଗ୍ରୁପରେ ୧୨ ରୁ ୧୮ ବର୍ଷ ବୟସର ପିଲା ରହିଛନ୍ତି
– ଦ୍ୱିତୀୟ ଗ୍ରୁପରେ ୬ରୁ ୧୨ ବର୍ଷ ଭିତରେ ପିଲା ଅଛନ୍ତି
– ଏବଂ ତୃତୀୟ ଗ୍ରୁପରେ ୨ ରୁ ୬ ବର୍ଷ ମଧ୍ୟରେ ପିଲାଙ୍କୁ ବଛା ଯାଇଛି
– ପରୀକ୍ଷଣ ଆଗରୁ ପିଲାଙ୍କର ଆଂଟିବଡି ପରଖାଯିବ

ବୟସ୍କଙ୍କ ଭଳି ପିଲାଙ୍କ କୋଭାକ୍ସିନ ଟିକାର ପରୀକ୍ଷଣ କରାଯିବ । କିଛିଦିନ ଆଗରୁ ଏମ୍ସ୍ ପଟାନରେ ଭାରତ ବାୟୋଟେକର ଟିକାକୁ ଅନୁମତି ମିଳିବା ପରେ ପିଲାଙ୍କ ପରୀକ୍ଷଣ ଆରମ୍ଭ ହୋଇସାରିଛି । ଭାରତୀୟ ଡ୍ରଗ୍ସ କଂଟ୍ରୋଲ ଜେନେରାଲ ଗତ ମେ ୧୨ ତାରିଖରେ କୋଭାକ୍ସିନ ଟିକାର ପିଲାଙ୍କ ଉପରେ ମାନବ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଥିଲା ।

ଚଳିତ ବର୍ଷ ଜାନୁୟାରୀ ଦ୍ୱିତୀୟ ସପ୍ତାହରୁ ହିଁ କୋଭାକ୍ସିନର ଜରୁରୀ କାଳିନ ବ୍ୟବହାର ପାଇଁ ସରକାର ଅନୁମତି ପ୍ରଦାନ କରିଥିଲେ । ଆଗ ଧାଡିର କର୍ମଚାରୀଙ୍କ ଟିକାକରଣ ୨ ଫେବ୍ରୁୟାରୀରୁ ଆରମ୍ଭ ହୋଇଥିଲା । ମାର୍ଚ୍ଚ ୧ରୁ ୪୫ରୁ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ ପାଇଁ ଅନୁମତି ମିଳିଲା । ଏହାପରେ ମେ ୧ରୁ ୧୮ରୁ ୪୪ ବର୍ଷ ବୟସ ମଧ୍ୟରେ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହୋଇଥିଲା । କରୋନା ଭୂତାଣୁ ସହ ମୁକାବିଲା ପାଇଁ ଯେତେ ଅଧିକ ଟିକାକରଣ ହେବ ଦେଶ ପାଇଁ ସେତେ ଭଲ । ନହେଲେ କରୋନାର ତୃତୀୟ ଲହରୀରେ ମଧ୍ୟ ୨ୟ ଲହରୀ ଭଳି ସମସ୍ୟା ମାନ ଦେଖାଦେବ । ଆଉ ପିଲାମାନେ ତୃତୀୟ ଲହରୀର ମୁଖ୍ୟ ଶୀକାର ହୋଇପାରନ୍ତି ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି ।