ଶୀଘ୍ର ଆସିବ କରୋନା ଟିକା । ଅହମ୍ମଦାବାଦ ଜାଈଡସ୍ ବାୟୋଟେକ୍ ପାର୍କରେ ପ୍ରସ୍ତୁତ ହେଉଥିବା କରୋନା ଟିକାର ସମୀକ୍ଷ କଲେ ପ୍ରଧାନମନ୍ତ୍ରୀ । ଆଜି ପୁଣେ ଓ ହାଇଦ୍ରାବାଦ ଯିବେ ମୋଦି

242

କନକ ବ୍ୟୁରୋ : ୩ ଟି କରୋନା ଟିକା ପ୍ରକ୍ରିୟାକରଣ ଫାର୍ମ ପରିଦର୍ଶନରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳ ୯.୩୦ ରେ ଅହମ୍ମଦାବାଦର ଜାଈଡସ୍ ପାର୍କ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ ସେଠାରେ ପହଂଚିବା ପରେ କୋଭିଡ୍ ଟିକା ବିକାଶ ନେଇ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଓ ହାଇଦ୍ରାବାଦର ଭାରତ ବାୟୋଟେକ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଦେଶରେ କରୋନା ବିରୋଧୀ ଲଢେଇ ନିର୍ଣ୍ଣାୟକ ସ୍ତରରେ ପହଂଚିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏଭଳି ପରଦର୍ଶନ ଗୁରୁତ୍ୱବହନ କରୁଛି ।
ସୂଚନା ମୁତାବକ ଗୁଜୁରାଟର ଅହମ୍ମଦାବାଦ ଅଞ୍ଚଳର ଚଙ୍ଗୋଦର ନିକଟରେ ଜାଈଡସ୍ ପକ୍ଷରୁ କରୋନା ଟିକାର ବିକାଶ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସେଠାରେ ଏକ ହେଲିପ୍ୟାଡ୍ ପ୍ରସ୍ତୁତ କରାଯାଇଥିଲା । ଏଠାେରେ ପ୍ରଧାନମନ୍ତ୍ରୀ ପହଂଚିବା ପରେ କରୋନା ଟିକା ପ୍ରସ୍ତୁତିରେ ନିୟୋଜିତ ଥିବା ଡାକ୍ତର ଓ ବୈଜ୍ଞାନିକ ମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ଆଲୋଚନାରେ ଟିକାର ନିରୀକ୍ଷଣ ଓ ଯୋଗାଣ ନେଇ କଥାବାର୍ତ୍ତା ହୋଇଥିବା ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ଲୋହେଗାଓଁ ବିମାନ ବନ୍ଦରରେ ପହଂଚିବା ପରେ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସେରମ ଇନଷ୍ଟିଚ୍ୟୁଟ୍ ଯିବେ ।
ପରେ ଶ୍ରୀ ମୋଦି ହାଇଦ୍ରାବାଦ ସ୍ଥିତ ହକିମେପଟ୍ ବାୟୁସେନା ଷ୍ଟେସନରେ ପହଂଚିବା ପରେ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ ପରିଦର୍ଶନ କରିବେ । ସେଠାରେ ଆଇସିଏମଆର ଓ ଭାରତ ବାୟୋଟେକ୍ ର ମିଳିତ ସହଯୋଗରେ ‘କୋଭାକ୍ସିନ୍’ ଟିକାର ପ୍ରସ୍ତୁତ ଚାଲିଛି ।