ଆଜି ରାଜ୍ୟ ଔଷଧ ଭଣ୍ଡାରରୁ ବିଭିନ୍ନ ଜିଲ୍ଲାକୁ ଯାଉଛି କରୋନା ଟିକା : ଟିକା ନେବା ପାଇଁ ପ୍ରସ୍ତୁତ ରହିଛି ଗାଡ଼ି; ୪୮ ଘଂଟା ଭିତରେ ସାରା ରାଜ୍ୟରେ ଟିକା ପହଂଚାଇବାକୁ ଟାର୍ଗେଟ

102

କନକ ବ୍ୟୁରୋ : ପୁନେରୁ ଭୁବନେଶ୍ୱର କରୋନା ଟିକା ଆସି ପଂହଚିବା ପରେ ବିଭିନ୍ନ ଜିଲ୍ଲାକୁ ଏହା ପର୍ଯ୍ୟାୟକ୍ରମେ ପଠାଯିବା ପ୍ରକ୍ରିୟା ଚାଲିଛି । ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ଟିକା ଭଣ୍ଡାରରୁ କଟକ, ପୁରୀ ଓ ନୟାଗଡ ଜିଲ୍ଲାକୁ ଟିକା ଦିଆଯାଇଛି । କଟକକୁ ୧୯ ହଜାର ଶହେ ଡୋଜ, ନୟାଗଡକୁ ୪ ହଜାର ଡୋଜ ଓ ପୁରୀକୁ ଯାଇଛି ୭ ହଜାର ଡୋଜ । କଡା ସୁରକ୍ଷା ଭିତରେ ସ୍ୱତନ୍ତ୍ର ଭ୍ୟାନ ଯୋଗେ ଏହି ଟିକା ସଂପୃକ୍ତ ଜିଲ୍ଲାଗୁଡିକୁ ଯାଇଛି । ଆଜି ମଧ୍ୟ ବିଭିନ୍ନ ଜିଲ୍ଲାକୁ ଟିକା ପଠାଇବା କାମ ଚାଲିଛି । ମଙ୍ଗଳବାର ପୁଣେରୁ ରାଜ୍ୟକୁ ଆସିଛି ମୋଟ୍ କୋଭିସିଲ୍ଡିର ୪୦ ହଜାର ୮ ଶହ ଭାୟାଲ । ଏଥିରେ ୪ ଲକ୍ଷ ୮ ହଜାର ଡୋଜ କୋଭିଡ୍ ଟିକା ରହିଛି ।

କଟକ ଓ ପୁରୀରେ ପହଁଚିଛି କରୋନା ଟିକା । ପ୍ରଥମ ପର୍ଯ୍ୟାୟରେ ୧୧ଟି ଟିକାଦାନ କେନ୍ଦ୍ରରେ ୧୧ ଶହ ଡୋଜ୍ ଟିକା ଦିଆଯିବ । ଜିଲ୍ଲାରେ ଟିକାଦାନ କେନ୍ଦ୍ର କେଉଁଠାରେ ରହିବ ତାହା ସ୍ଥିର ହୋଇନଥିବା ଜଣାପଡିଛି । କଟକରେ ପ୍ରଥମେ ସମସ୍ତ କରୋନା ଟିକାକୁ ସିଟି ହସ୍ପିଟାଲରେ ଷ୍ଟୋରେଜ କରି ରଖାଯାଇଛି ।

ସେହିଭଳି ପୁରୀ ଜିଲ୍ଲା ସଦର ହସ୍ପିଟାଲକୁ ପ୍ରଥମ ପର୍ଯ୍ୟାୟରେ ୭ ହଜାର ଭାକସିନ୍ ଆସିଛି । ଏହାକୁ ସଦର ଡାକ୍ତରଖାନାର ଟିକା ଭଣ୍ଡାରରେ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ପୁରୀରେ ୧୦ ହଜାର ୭୭୯ ଜଣ କରୋନା ଯୋଦ୍ଧାଙ୍କୁ ଟିକାକରଣ କରାଯିବ । ଆଜି ଏନେଇ ପୁରୀରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ପୁରୀ ମୁଖ୍ୟାଳୟ ବାଦ୍ ୬ଟି ପିଏଚସିକୁ ଏହି ଟିକାପ୍ରେରଣ କରାଯିବ । ପୁରୀ ଜିଲ୍ଲାରେ ମୋଟ୍ ୬୭ଟି କେନ୍ଦ୍ରରେ କରୋନା ଟିକାକରଣ କରାଯିବ ବୋଲି ସୂଚନା ମିଳିଛି । ଏଥିରେ ୨୭୮ ଜଣ ଭାକସିନେଟର ନିୟୋଜିତ ହେବେ ।