କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ପୂର୍ବରୁ ଉଭୟ ଲୋକସଭା ଓ ରାଜ୍ୟସଭାର ପ୍ରାୟ ଅଧା ସାଂସଦଙ୍କୁ ଟିକା ଦିଆଯିବ ବୋଲି ସୂଚନା ମିଳୁଛି । ସଂସଦର ଦୁଇ ସଦନର ୭୭୭ ସାଂସଦଙ୍କ ମଧ୍ୟରୁ ୩୬୬ ଜଣ ସାଂସଦଙ୍କ ବୟସ ୬୦ ବର୍ଷରୁ ଅଧିକ ରହିଛି । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ୬୦ ବର୍ଷରୁ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯାଉଥିବାରୁ ମାର୍ଚ୍ଚ ୮ରେ ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ଏମାନଙ୍କ ଟିକାକରଣ କରାଯିବ ବୋଲି ଜଣାପଡିଛି ।

Advertisment

ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ବଢ଼ୁଥିବା ବେଳେ ସୋମବାର ଠାରୁ ଦିଆଯାଉଛି ସାଧାରଣ ଲୋକଙ୍କୁ ଟିକା । ଏହି ପର୍ଯ୍ୟାୟରେ ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯାଉଛି ଟିକା । ସେହିପରି ୪୫ରୁ ୫୯ ବର୍ଷ ମଧ୍ୟରେ ଥିବା ଯେଉଁ ବ୍ୟକ୍ତି ବିଭିନ୍ନ ରୋଗରେ ପୀଡ଼ିତ ଥିବେ, ସେମାନଙ୍କୁ ମଧ୍ୟ ଟିକା ଦିଆଯାଉଛି । ଟିକା ନେବାକୁ ଇଚ୍ଛା କରୁଥିବା ବ୍ୟକ୍ତି ଆଗୁଆ ପଂଜିକରଣ କରିବେ । କୋୱିନ୍-୨ ପଏଂଟ ଜିରୋ ପୋର୍ଟାଲରେ ନାଁ ଓ ମୋବାଇଲ୍ ନମ୍ବର ଦେଇ ପଂଜିକୃତ କରିବାକୁ ହେବ । ଓଟିପି ଆସିବା ପରେ ପରିଚୟ ପତ୍ରର ବିବରଣୀ ଦେବେ । ଜନ୍ମ ତାରିଖ ଓ ଲିଙ୍ଗ ସଂପର୍କରେ ଜଣାଇବେ । ସବୁ ତଥ୍ୟ ଦେବା ପରେ ସ୍ୱୀକୃତି ପତ୍ର ମିଳିବ ।