କନକ ବ୍ୟୁରୋ : ରବିବାର ଛୁଟି ଦିନରେ ମଧ୍ୟ ୩ ହଜାର ୬୮୩ ଜଣଙ୍କୁ କରୋନା ଟିକା ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କେବଳ ବାଲେଶ୍ୱର ଓ ଦେବଗଡକୁ ଛାଡି ବାକି ଜିଲ୍ଲାଗୁଡିକରେ ୬୬୯ଟି ଅଧିବେଶନରେ ଟିକାକରଣ ହେଉଛି । ତେବେ ଟିକା ନେବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଛି ।

Advertisment

ବିଶେଷ କରି ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବା ଦିନରୁ ଟିକାକେନ୍ଦ୍ରରେ ପ୍ରବଳ ଭିଡ ଲାଗିରହୁଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ପାଖରେ ଏବେ କେନ୍ଦ୍ର ସରକାର ଦେଇଥିବା ୨ଲକ୍ଷ ୬୯ ହଜାର ୬୩୦ ଡୋଜ୍ ଏବଂ ରାଜ୍ୟ ସରକାର ନିଜେ କିଣିଥିବା ୧ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ମହଜୁଦ ଅଛି । ସେହିପରି କେନ୍ଦ୍ର ଦେଇଥିବା ୩ ଲକ୍ଷ ୪୨ ହଜାର ୩୦୦ ଡୋଜ୍ କୋଭାକ୍ସିନ ଟିକା ଓ ରାଜ୍ୟ ସରକାରଙ୍କ ୧ ଲକ୍ଷ ୬ ହଜାର ୨୮୦ ଡୋଜ୍ କୋଭାକ୍ସିନ ଟିକା ରହିଛି ।

ମଙ୍ଗଳବାରଠାରୁ ରାଜ୍ୟର ୪ଟି ମହାନଗର ନିଗମ କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଟିକା ଦିଆଯିବ । ଏଥିପାଇଁ ଲୋକସଂଖ୍ୟା ଆଧାରରେ ୪ ମହାନଗରକୁ ଟିକା ପଠାଯାଇଛି । କଟକ ମହାନଗର ନିଗମକୁ ସର୍ବାଧିକ ୩୨ ହଜାର ୮୦୦, ରାଉରକେଲା ମହାନଗର ନିଗମକୁ ୨୭ ହଜାର ୩୦୦, ସମ୍ବଲପୁର ମହାନଗର ନିଗମକୁ ୨୦ ହଜାର ୯୦୦ ଏବଂ ବ୍ରହ୍ମପୁର ମହାନଗର ନିଗମକୁ ୧୯ ହଜାର ଡୋଜ୍ ଟିକା ଦିଆଯାଇଛି ।