କରୋନା ଟିକାକରଣରେ ଭାରତର ମାଇଲଖୁଣ୍ଟ : ଆଜି ୧୦୦ କୋଟିରେ ପହଞ୍ଚିବ ଭ୍ୟାକ୍ସିନେସନ

ଉତ୍ସବ ପାଳିବେ ସରକାର, ସାମିଲ ହେବେ ପ୍ରଧନମନ୍ତ୍ରୀ

49

କନକ ବ୍ୟୁରୋ : କରୋନା ଟିକାକରଣରେ ଭାରତ ବିଶ୍ୱରେ ଏକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି । ଆଜି ଦେଶରେ ଟିକାକରଣ ଶହେ କୋଟି ଡୋଜ ଅତିକ୍ରମ କରିବ । ଏଥିପାଇଁ ସରକାର ଏକ ବଡ ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ହେଉଛନ୍ତି । ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ସାମିଲ ହେବେ । ଏଠାରେ ସେ ସ୍ୱାସ୍ଥ୍ୟକର୍ମୀଙ୍କ ସହ କଥାବାର୍ତା ବି କରିବେ । ସେହିଭଳି ଦେଶର ବିଭିନ୍ନ ସ୍ଥାନରେ ବି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ୧୦୦ କୋଟି ଡୋଜ ପୂରଣ ହେବା ମାତ୍ରେ ଡାକବାଜି ଯନ୍ତ୍ର ଜରିଆରେ ବିମାନ, ଜାହାଜ, ବନ୍ଦର, ମେଟ୍ରୋ, ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରେ ଏହାର ଘୋଷଣା ବି କରାଯିବ । ଚଳିତ ବର୍ଷ ଜାନୁଆରୀରୁ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା । କୋଭିସିଲ୍ଡ, କୋଭାକ୍ସିନ, ସ୍ପୁଟନିକ-ଭି ଓ ଅନ୍ୟ କିଛି ଟିକାକୁ ସରକାର ଅନୁମତି ଦେଇଛନ୍ତି ।

ଗତକାଲି ଅପରାହ୍ଣ ସୁଦ୍ଧା ଦେଶରେ ପ୍ରାୟ ୯୯.୪ କୋଟି ଟିକା ଲୋକଙ୍କୁ ଦିଆଯାଇଛି । ୧୦୦ କୋଟିର ସଫଳତା ପରିପ୍ରେକ୍ଷୀରେ ସରକାର ଉତ୍ସବ ମନାଇବା କାର୍ଯ୍ୟକ୍ରମ କରିଛନ୍ତି। ଦେଶର ଟ୍ରେନ, ବିମାନ, ଜାହାଜରେ ମାଇକ୍‌ ଯୋଗେ ଏ ସଂପର୍କରେ ଘୋଷଣା ହେବ । ଏଥିସହିତ ଦିଲ୍ଲୀର ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଯିବ । ମିଳିଥିବା ସୂଚନା ଅନୁଯାୟୀ, ବିଜେପିର ନେତାମାନେ ଟିକାକରଣ କେନ୍ଦ୍ର ପରିଦର୍ଶନ କରିବେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଟିକାକରଣ କେନ୍ଦ୍ରକୁ ଯିବେ । ଦଳର ସାଧାରଣ ସଂପାଦକ ଅରୁଣ ସିଂ ଏବଂ ଡି. ଗୌତମ ଯଥାକ୍ରମେ ତାମିଲନାଡ଼ୁର କୋଏମ୍ବାଟୁର ଏବଂ ଉତ୍ତର ପ୍ରଦେଶର ଲ‌କ୍ଷ୍ନୌ ଗସ୍ତ କରିବେ ।

ଉଲ୍ଲେଖଯୋଗ୍ୟ, ଭାରତ ବ୍ୟତୀତ ଚୀନ ଏକମାତ୍ର ଦେଶ ଯିଏ କି ଗତ ଜୁନରେ ୧୦୦ କୋଟି ଟିକାକରଣର ମାଇଲଖୁଣ୍ଟ ହାସଲ କରିଛି । ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ ଅବସରରେ ଗୋଟିଏ ଦିନରେ ଦେଶରେ ୨.୫ କୋଟିରୁ ଅଧିକ ଟିକା ଦିଆଯାଇଥିଲା ।