ଧାଡ଼ିରେ ଛିଡ଼ା ହୋଇଛି ଓଡ଼ିଶା । କରୋନା ଟେଷ୍ଟ ଓ କରୋନା ଟିକା ପାଇଁ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଲୋକ ହଟହଟା । ଟେଷ୍ଟ ପାଇଁ ଆସିଥିବା ବେଳେ ଶିଶୁକନ୍ୟାକୁ ଜନ୍ମ କଲେ ପ୍ରସୂତୀ

192

କନକ ବ୍ୟୁରୋ: ଅବ୍ୟବସ୍ଥା କୁହନ୍ତୁ ବା ଟିକାର ଅଭାବ । ଟିକାକାରଣ କେନ୍ଦ୍ର ଗୁଡ଼ିକରୁ ଯେଉଁ ସବୁ ଚିତ୍ର ଆସୁଛି, ତାହା ବ୍ୟବସ୍ଥାର ବିକଳ ଅବସ୍ଥାକୁ ଦର୍ଶାଇଛି । ଆଉ କରୋନା ପରୀକ୍ଷା ପାଇଁ ଯେଉଁମାନେ ସ୍ୱାସ୍ଥ୍ୟକେନ୍ଦ୍ରଙ୍କୁ ଆସୁଛନ୍ତି, ତାଙ୍କ ଅବସ୍ଥା ଆହୁରୀ ଦୟନୀୟ । କେଉଁଠି ପାହାଁନ୍ତିଆରୁ ଟିକା ପାଇଁ ଲୋକ ଲାଇନ୍ରେ ଛିଡ଼ା ହେବା ପରେ ବି ସକାଳୁ ମନା କରିଦିଆଯାଉଛି, ତ ଆଉ କେଉଁଠି କରୋନା ପରୀକ୍ଷା କରିବା ପାଇଁ ଆସିଥିବା ଲୋକେ, ପଥର, ପାଣି ବୋଟଲ ଏବଂ ହେଲ୍ମେଟ୍ ରଖି ଲାଇନ୍ ଲଗାଇଛନ୍ତି ।

ଜୀବିତ ମଣିଷର ବିକଳ୍ପ, ନିର୍ଜୀବ ବସ୍ତୁ ବି ସାଜିପାରେ । ଦେଖୁ ନାହାଁନ୍ତ, ଦେବଗଡ଼ରୁ ଆସିବା ଏହି ଚିତ୍ରକୁ । କରୋନା ପରୀକ୍ଷା ପାଇଁ ଆସିଥିବା ଲୋକମାନେ ପଥର, ପାଣି ବୋଟଲ, ହେଲମେଟ୍, ବ୍ୟାଗ୍ ଆଦି ରଖି ଲାଇନ୍ ଲଗାଇଛନ୍ତି । ଏକା ସମୟରେ ବହୁ ଲୋକ ଟେଷ୍ଟ ପାଇଁ ଆସୁଥିବା ବେଳେ ସଂକ୍ରମଣ ବଢ଼ିବାର ଭୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ବଡ଼ କଥା ହେଉଛି, ଏହାରି ଭିତରେ ଜଣେ ଗର୍ଭବତୀ ମହିଳା ଜନଜାତ ଶିଶୁଙ୍କୁ ଜନ୍ମ ଦେଇଛନ୍ତି ।

କଟକ ବଡ଼ ମେଡ଼ିକାଲରେ ରାତି ୩ଟାରୁ ଟିକା ନେବା ପାଇଁ ଲୋକ ଲାଇନରେ ଆସି ଛିଡ଼ା ହୋଇଥିଲେ, ହେଲେ ସକାଳୁ ଆସି କୁହାଗଲା, ବୟସ୍କଙ୍କ ଲୋକଙ୍କୁ ଏବେ ଟିକା ଦିଆଯିବ ନାହିଁ । ଆଉ ଶେଷରେ ନିରାଶ ହୋଇ ଘରକୁ ଫେରିଥିଲେ, ଅପେକ୍ଷା କରିଥିବା ଶହ ଶହ ଲୋକ ।

ଯାଜପୁର ରୋଡ୍ରେ ପ୍ରଶାସନକୁ ଶେଷରେ ବେକାକୁ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏକ ନୂଆ ଘୋଷଣା କରିବାକୁ ପଡ଼ିଛି । ଏଣିକି ଲୋକଙ୍କୁ ଟିକା ଦେବା ପୂର୍ବରୁ ଫୋନ୍ କରି ଜଣାଇବା ନେଇ ନିଷ୍ପତି ନିଆଯାଇଛି । ଟିକା ନେବା ପାଇଁ ଯାଜପୁର ରୋଡ୍ରେ ଲୋକ ରାତି ୪ଟାରୁ ଆସି ଭିଡ଼ ଲଗାଉଥିବା ଦେଖିବାକୁ ମିଳିଛି ।

ଏପଟେ ଅନୁଗୁଳରେ କରୋନା ଟେଷ୍ଟ ପାଇଁ ଅଭିବନ ଧାଡି । ଆଧାରକାର୍ଡକୁ ଧାଡିରେ ଲଗାଇ ନିରାପଦ ଦୂରରେ ନିଜ ପାଳିକୁ ଅପେକ୍ଷା କରିଛନ୍ତି ଲୋକେ । ଅନୁଗୁଳ ଜିଲ୍ଲା କୋଶଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଟେଷ୍ଟିଂ ପାଇଁ ଆସିଥିବା ଲୋକେ ନିଜେ ଧାଡିରେ ଛିଡା ନହୋଇ ସାଙ୍ଗରେ ଆଣିଥିବା ନିଜ ନିଜ ଆଧାର କାର୍ଡକୁ ଧାଡିରେ ପଛକୁ ପଛ ରଖିଛନ୍ତି । ଆଧାରକାର୍ଡ ଯେପରି ପବନରେ ଉଡିନଯିବ ସେଇଥି ପାଇଁ ଆଧାର କାର୍ଡ ଉପରେ ଛୋଟ ଛୋଟ ପଥର ରଖିଦେଇଥିଲେ । କେହି କେହି ନିଜ ବ୍ୟାଗକୁ ଧାଡିରେ ଲଗାଇ ଥିବା ମଧ୍ୟ ଦେଖିବାକୁ ମିଳିଛି ।