କନକ ବ୍ୟୁରୋ : କରୋନା ଟିକା ନେବା ପାଇଁ ଆଉ ଦରକାର ନାହିଁ ଆଧାର କାର୍ଡ । ସବୁ ଧର୍ମର ସାଧୁ ସନ୍ଥ, କଏଦୀ, ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ବିନା ପରିଚୟ ପତ୍ରରେ ଟିକା ନେଇପାରିବେ । ଏନେଇ ସୁପ୍ରିମକୋର୍ଟରେ ଯବାବ ରଖିଛନ୍ତି କେନ୍ଦ୍ର ସରକାର । କୋୱିନ୍ ଆପରେ ପଞ୍ଜିକରଣ ପାଇଁ ଆଧାର କାର୍ଡର ବାଧ୍ୟତାମୂଳକ ନୂହେଁ ବୋଲି କହିଛନ୍ତି କେନ୍ଦ୍ର ସରକାର । ଡି ୱାଇ ଚନ୍ଦ୍ରଚୁଡ଼ ଏବଂ ସୂର୍ଯ୍ୟକାନ୍ତ ନେଇ ଗଠିତ ବେଂଚକୁ ଅବଗତ କରିଛନ୍ତି କେନ୍ଦ୍ର ସରକାର । ଫେବୃଆରୀ ୨ ତାରିଖ ସୁଦ୍ଧା ଦେଶରେ ୧୧୫ କୋଟି ଲୋକ କୋୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୮୭ ଲକ୍ଷ ଲୋକଙ୍କର କୌଣସି ପରିଚୟ ପତ୍ର ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

Advertisment

ଏ ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଟିକା ପାଇବା ପାଇଁ କୋଭିନ ଆପରେ ପଞ୍ଜୀକରଣ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ । ଆଧାର କାର୍ଡ ବ୍ୟତୀତ ଅନ୍ୟ ୯ ପ୍ରକାରର ପରିଚୟ ପତ୍ର ଯେପରିକି ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ, ଭୋଟର କାର୍ଡ, ରେସନ କାର୍ଡ ଇତ୍ୟାଦି ମଧ୍ୟ ପଞ୍ଜିକରଣ ପାଇଁ ବ୍ୟବହାର କରାଯାଇପାରିବ । ପୂର୍ବରୁ ଏ ସମ୍ପର୍କରେ ସରକାରଙ୍କ ତରଫରୁ ମଧ୍ୟ ସୂଚାଇ ଦିଆଯାଇଥିଲା ଯେ, ଆଧାର କାର୍ଡ ବ୍ୟତୀତ ଅନ୍ୟ କୌଣସି ବୈଧ ଆଇଡିରେ ମଧ୍ୟ ରେଜିଷ୍ଟେସନ କରିହେବ । କୋ-ୱିନ୍ ଚିଫ୍ ଆର ଶର୍ମା ଏପ୍ରିଲ୍ ୨୦୨୧ ରେ କହିଥିଲେ ଯେ cowin.gov.in ରେ ପଞ୍ଜିକରଣ ପାଇଁ ଓଟିପି ମୋବାଇଲ୍ ନମ୍ବରରେ ଆସିବ ।

ଏହାକୁ ଯାଞ୍ଚ କରିବାକୁ ପଡିବ । ଆହୁରି ମଧ୍ୟ, ଏହାକୁ ଆଧାର କାର୍ଡ, ପାନ୍ କାର୍ଡ କିମ୍ବା ଅନ୍ୟ କୌଣସି ବୈଧ ଫଟୋ ପରିଚୟ ପତ୍ର ଆଧାରରେ ଦାଖଲ କରିବାକୁ ପଡିବ । ତା’ପରେ ପିନକୋଡ୍ ପ୍ରବେଶ କରି ଆପଣଙ୍କୁ ଟିକାକରଣର ସ୍ଥାନ ଅର୍ଥାତ୍ କେନ୍ଦ୍ର, ତାରିଖ ଏବଂ ସମୟ କହିବାକୁ ପଡିବ । ଏକ ମୋବାଇଲ୍ ନମ୍ବରରେ ଚାରିଜଣ ପଞ୍ଜିକୃତ କରିପାରିବେ । ଯଦି ଆପଣ କୌୱିିନ୍ ଆପରେ ପଞ୍ଜିକରଣ ନକରି ଟିକାକରଣ କେନ୍ଦ୍ରକୁ ଯାଆନ୍ତି, ତଥାପି ଆପଣଙ୍କୁ ଟିକାକରଣ କରାଯିବ । ଏଥିପାଇଁ ଆପଣଙ୍କୁ ଏକ ଫଟୋ ପରିଚୟ ପତ୍ର ସାଙ୍ଗେର ନେବାକୁ ପଡିବ, ଯେଉଁଥିରେ ଜନ୍ମ ତାରିଖ ଉଲ୍ଲେଖ ଥିବ ।