୧୦ ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ୧୮ ରାଜ୍ୟରେ ନୂଆ ଷ୍ଟ୍ରେନ୍ । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ଟପିଲା ୨୫ ଲକ୍ଷ

2,325

ଦେଶରେ କରୋନା ସଂକ୍ରମଣ ଲଗାତାର ଭାବେ ବଢ଼ିବାରେ ଲାଗିଛି। ନିକଟରେ କେବଳ ୬ଟି ରାଜ୍ୟରେ ସଂକ୍ରମଣ ଅଚାନକ ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬ ରାଜ୍ୟରୁ ୮୫ ପ୍ରତିଶତରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ର ଏବଂ କେରଳରେ ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଛି ବୋଲି କୁହାଯାଉଛି । ଦେଶରେ ଗତ ୭ ଦିନ ମଧ୍ୟରେ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ବଢ଼ିଛି । ତେବେ ଜାତୀୟ ସ୍ତରରେ ସକ୍ରିୟ ମାମଲା ପ୍ରାୟ ୧୫ ହଜାର ବୃଦ୍ଧି ହୋଇଛି। ଗୁରୁବାର ଦେଶରେ ସକ୍ରିୟ ମାମଲା ୧,୫୫,୯୮୬ ଥିଲା। ଯାହା ମୋଟ୍‌ ପଜିଟିଭ୍‌ ମାମଲାର ୧.୪୧ ପ୍ରତିଶତ। ଅନ୍ୟପକ୍ଷେ ୬ ରାଜ୍ୟରୁ ୮୬ ପ୍ରତିଶତ ନୂଆ କରୋନା ମୃ୍ତ୍ୟୁ ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା ସମେତ ୧୮ ରାଜ୍ୟ ଉପରେ କଡ଼ା ନଜର ରହିଛି। ଉପରୋକ୍ତ ରାଜ୍ୟ ମାନଙ୍କରେ ବ୍ରିଟେନ୍‌, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ୍‌ କରୋନା ପ୍ରଜାତିର ପ୍ରାୟ ୨୦୦ ମାମଲା ଥିବାରୁ ଏହି ରାଜ୍ୟମାନଙ୍କ ଉପରେ କଡ଼ା ନଜର ରଖାଯାଇଛି ।

ବିଶ୍ବରେ କରୋନା ମୃତ୍ୟୁ ୨୫ ଲକ୍ଷ ଟପିଲା

ନ୍ୟୁୟର୍କ : ବିଶ୍ବରେ କରୋନା ମୃତ୍ୟୁ ୨୫ ଲକ୍ଷ ଟପିଯାଇଛି। ମୋଟ୍‌ ୨୫,୦୧,୬୨୬ ଜଣଙ୍କ ବିଶ୍ବରେ କରୋନା ଯୋଗୁଁ ମୃତ୍ୟୁ ହୋଇଛି। ସର୍ବ‌ାଧିକ ପ୍ରଭାବିତ ରାଷ୍ଟ୍ର ଆମେରିକାରେ ୫୦୬,୫୦୦ ମୃତ୍ୟୁ ହୋଇଛି। ବ୍ରାଜିଲ୍‌ରେ କରୋନା ମୃତ୍ୟୁସଂଖ୍ୟା ୨୪୯,୯୫୭ ଥିବାବେଳେ ତୃତୀୟ ରାଷ୍ଟ୍ରଭାବେ ମେକ୍ସିକୋରେ ସବୁଠୁ ଅଧିକ କରୋନା ମୃତ୍ୟୁ ହୋଇଛି। ମେକ୍ସିକୋରେ ଏବେ କରୋନା ମୃତ୍ୟୁ ସଂଖ୍ୟା ୧୮୨,୮୧୫ ଅଛି। ଭାରତ, ବ୍ରିଟେନ୍‌, ଇଟାଲି, ଫ୍ରାନ୍ସ ଏବଂ ରୁଷ୍‌ରେ ୮୦ ହଜାରରୁ ଅଧିକ କରୋନା ମୃତ୍ୟୁ ରେକର୍ଡ କରାଯାଇଛି। ଉଲ୍ଳେଖଯୋଗ୍ୟ ଗତ ସେପ୍ଟେମ୍ବର ୨୮‌ରେ ବିଶ୍ବରେ କରୋନା ମୃତ୍ୟୁ ୧୦ ଲକ୍ଷ ଥିଲା। ତେବେ ଜାନୁଆରି ୧୫ରେ ଏହା ଦ୍ବିଗୁଣା ହେଲା। ଆଜି ବିଶ୍ବରେ କରୋନା ମୃତ୍ୟୁ ୨୫ ଲକ୍ଷ ଟପିଯାଇଛି।

ମାର୍ଚ୍ଚ ପାଇଁ ଜାରି ହେଲା ନିୟମାବଳି
ନୂଆଦିଲ୍ଲୀ: ମାର୍ଚ୍ଚ ପାଇଁ ଦେଶରେ କରୋନା ନିୟମାବଳି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ଜାରି ହୋଇଛି। କରୋନା ନିରୀକ୍ଷଣ, ଅବରୋଧ ଏବଂ ସତର୍କତା ପାଇଁ ବର୍ତ୍ତମାନ ପ୍ରଚଳିତ ନିୟମାବଳି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଥିସହିତ ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି। ଅବରୋଧ ଅଞ୍ଚଳରେ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୧ ଜାନୁଆରି ୨୭ ତାରିଖରେ ମନ୍ତ୍ରାଳୟ ପକ୍ଷରୁ ନିରୀକ୍ଷଣ, ନିୟନ୍ତ୍ରଣ ଏବଂ କଡ଼ାକଡ଼ି ନିୟମ ପାଳନ ପାଇଁ ଜାରି ହୋଇଥିବା ନିୟମାବଳି ଏବଂ ଏସଓପିକୁ କେନ୍ଦ୍ର ଓ ରାଜ୍ୟଗୁଡ଼ିକ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଆବଶ୍ୟକ।

ନୂଆଦିଲ୍ଲୀ: କୋଭିଡ୍‌-୧୯ ସ୍ଥିତି ସମ୍ପର୍କିତ ବୁଲେଟିନ୍‌ ପ୍ରକାଶନ ଦୁଇଦିନ ‌ ବନ୍ଦ ହେବା ପରେ ତୁରନ୍ତ ଏହାକୁ ପ୍ରକାଶ କରିବା ପାଇଁ ତେଲେଙ୍ଗାନା ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ହିମା କୋହଲି ଏବଂ ବିଚାରପତି ବି ବିଜୟସେନ୍‌ ‌ରେଡ୍ଡୀଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ୨୪ ଘଣ୍ଡା ଭିତରେ କୋଭିଡ୍‌-୧୯ ବୁଲେଟିନ୍‌ ପୂର୍ବଭଳି ପ୍ରକାଶ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଖଣ୍ଡପୀଠ କହିଛନ୍ତି, ପ୍ରତିଦିନ କରୋନା ସମ୍ପର୍କିତ ସମସ୍ତ ସଠିକ୍‌ ତଥ୍ୟ ଲୋକମାନଙ୍କୁ ଦିଅ। ସର୍ବୋପରି ରାଜ୍ୟରେ କରୋନା ସ୍ଥିତି ଏବଂ ଲୋକମାନଙ୍କୁ ସଚେତନତା ବାର୍ତ୍ତା ବୁଲେଟିନ୍‌ରେ ପ୍ରକାଶ ପାଇବା ଦରକାର ବୋଲି ଖଣ୍ଡପୀଠ କହିଛନ୍ତି।