ଚିନ୍ତା ବଢାଇଲା କୋଲକାତା ଲିଙ୍କ୍ । ଆଜି ଦିନକରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଛୁଇଁଲା । ସକାଳେ ୪, ସନ୍ଧ୍ୟାରେ ୩ ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱର, କେନ୍ଦୁଝର, ଦେବଗଡ, ଝାରସୁଗୁଡା ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା

924

କନକ ବ୍ୟୁରୋ: କରୋନା ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ବାଲେଶ୍ୱରରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ । ୩ ଜଣ ଯାକ ପୁରୁଷ । ସେମାନଙ୍କ ବୟସ ୪୪, ୬୧ ଏବଂ ୬୩ । ସମସ୍ତେ କୋଲକାତା ଫେରନ୍ତା । ୩ ଜଣ ଯାକ ଘରକୁ ଫେରିବା ପରେ ସଙ୍ଗରୋଧରେ ଥିଲେ । ତେବେ ବାଲେଶ୍ୱରର ନୂଆ ୩ ଆକ୍ରାନ୍ତ ଚିହ୍ନଟ ପରେ ବର୍ତ୍ତମାନ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୧୯କୁ ବୃଦ୍ଧି । ସେହିପରି ରାଜ୍ୟର ମୋଟ ପଜିଟିଭ ସଂଖ୍ୟା ୧୨୫, ସକ୍ରିୟ ସଂଖ୍ୟା ୮୫ ଥିବାବେଳେ ୩୯ ଜଣ ସୁସ୍ଥ ଅଛନ୍ତି ଆଉ ଜଣଙ୍କର ମୃତ୍ୟୁ ହୋଇଛି ।

ତେବେ ଆଜି ଗୋଟିଏ ଦିନରେ ରାଜ୍ୟରେ ମୋଟ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକାଳେ ନୂଆ ୩ ଜିଲ୍ଲାକୁ କରୋନା ଡେଇଁଛି । କେନ୍ଦୁଝର, ଦେବଗଡ, ଝାରସୁଗୁଡାରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ୩ ଜଣଙ୍କ ମଧ୍ୟରେ ଜଣେ ମହିଳା, ୨ ଜଣ ପୁରୁଷ ଥିଲେ । କେନ୍ଦୁଝର ପଞ୍ଚପାଲି ଅଞ୍ଚଳର ୬୦ ବର୍ଷୀୟ ବ୍ୟକ୍ତି, ଦେବଗଡ ବାସୁଦେବପୁର ଅଞ୍ଚଳର ୩୪ ବର୍ଷୀୟ ଯୁବକ ଓ ଝାରସୁଗୁଡା ବ୍ରଜରାଜନଗରର ୧୮ ବର୍ଷୀୟ ଯୁବତୀ ଥିଲେ । ଆଉ ଭୁବନେଶ୍ୱର ମଧୁସୂଦନ ନଗରର ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହେବା ପରେ ସକାଳେ ୪ ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ଏବେ ବାଲେଶ୍ୱରରୁ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଦିନକରେ ରାଜ୍ୟରେ ୭ ପଜିଟିଭ ବାହାରିଛନ୍ତି ।