କରୋନା ପରୀକ୍ଷା ପାଇଁ ଆଗେଇ ଆସିଲେ ରାଜଧାନୀବାସୀ । ଭୁବନେଶ୍ୱରକୁ ହଟସ୍ପଟ ମୁକ୍ତ ଅଞ୍ଚଳ କରିବା ଅଭିଯାନରେ ହେଲେ ସାମିଲ । ଗତ ୩ ଦିନ ଭିତରେ ସଂଗ୍ରହ ହେଲା ୨୫୦୦ ନମୂନା

549

କନକ ବ୍ୟୁରୋ: ପରୀକ୍ଷା ପାଇଁ ବଢୁଛି ଆଗ୍ରହ । କରୋନା ପରୀକ୍ଷା କରିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଲୋକଙ୍କ ଭିତରେ ଆଗ୍ରହ ଦେଖିବାକୁ ମିଳିଛି । ଗତ ୩ ଦିନ ଭିତରେ ରାଜଧାନୀରେ ୨୫ଶହ ନମୁନା ସଂଗ୍ରହ ହୋଇଛି । ମାତ୍ର ତିନି ଦିନରେ ଏତେ ସଂଖ୍ୟାରେ ନମୁନା ସଂଗ୍ରହ ହୋଇ ପାରିଥିବାରୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭୁବନେଶ୍ୱରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଏଥି ସହିତ ସେ ଭୁବନେଶ୍ୱର ମହାନଗର ନିଗମ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଏହାଛଡା ପୂଜା କମିଟି, ଘରୋଇ କ୍ଲିନିକ୍ ଓ ହସ୍ପିଟାଲଗୁଡିକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ତେବେ ସାତ ଦିନ ମଧ୍ୟରେ ୫ ହଜାର ପରୀକ୍ଷା କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିବା ବେଳେ ଗତ ୩ ଦିନରେ ୨୫୦୦ ନମୂନା ପରୀକ୍ଷା ହେବାକୁ ସଂଗ୍ରହ କରାଯାଇଛି । କେନ୍ଦ୍ର ସରକାର ଖୋର୍ଦ୍ଧା ଜିଲ୍ଲାକୁ ହଟସ୍ପଟ ଘୋଷଣା କରିଥିବା ବେଳେ ଭୁବନେଶ୍ୱରରେ ବହୁ ସଂଖ୍ୟାରେ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ବହୁ ସଂଖ୍ୟାରେ ପରୀକ୍ଷା କରି ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ରାପିଡ ଟେଷ୍ଟ କରାଯାଉଛି ।

ଅଧିକରୁ ଅଧିକ ଲୋକଙ୍କ ନମୂନା ସଂଗ୍ରହ କରିବାକୁ ୧୩ଟି ଟିମ୍ ଗଠନ ହୋଇଛି । ସନ୍ଦିଗ୍ଧଙ୍କ ନମୂନା ସଂଗ୍ରହ କରିବାକୁ ଭୁବନେଶ୍ୱରକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ଘର ଘର ବୁଲି ୧୩ଟି ଟିମ୍ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବେ । ଯେଉଁଠି ସନ୍ଦେହ ଉପୁଜିବ ତାଙ୍କ ଠାରୁ ନମୂନା ସଂଗ୍ରହ ହେବ । ୭ ଦିନରେ ୫ ହଜାର ସଂଗ୍ରହ ଲକ୍ଷ୍ୟ ଥିବାରୁ ଡାକ୍ତର, ଶିକ୍ଷକ ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଏହି ଅଭିଯାନରେ ସାମିଲ ହୋଇଛନ୍ତି ।