ଖୋର୍ଦ୍ଧା ପାଇଁ ଆଶ୍ୱସ୍ତିକର ଖବର: ଗତ ୧୪ ଦିନ ମଧ୍ୟରେ ଜିଲ୍ଲାର ୭୪ ପ୍ରତିଶତ ଗାଁରୁ କୌଣସି ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି, ଦିନକୁ ହେଉଛି ୧୫ଶହରୁ ଅଧିକ ଟେଷ୍ଟିଂ ।

118

କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ପାଖାପାଖି ୧୫ଶହ ଟେଷ୍ଟିଂ କରାଯାଉଛି । ଆଉ ସେଥିପାଇଁ ସଂକ୍ରମଣ ହାର ବଢ଼ିଥିବାବେଳେ ଜିଲ୍ଲାରେ ବର୍ତ୍ତମାନ ଆରୋଗ୍ୟ ହାର ମଧ୍ୟ ବଢୁଛି । କିନ୍ତୁ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୪ ଜଣ କରୋନା ଯୋଦ୍ଧାଙ୍କର ମୃତ୍ୟୁ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ।

ଅନ୍ୟପଟେ ଜିଲ୍ଲାବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ହେଉଛି କି, ବିଗତ ୧୪ ଦିନ ଭିତରେ ଖୋର୍ଦ୍ଧା ଜିଲ୍ଲାର ୭୪ ପ୍ରତିଶତ ଗାଁରୁ କୌଣସି ପଜିଟିଭ୍ କେସ୍ ଚିହ୍ନଟ ହୋଇ ନାହାନ୍ତି । ତେଣୁ ଏହି ଗାଁ ଗୁଡ଼ିକୁ ଗ୍ରୀନ୍ କାଟାଗୋରୀରେ ରଖାଯାଇଛି । ଯେଉଁ ସ୍ଥାନରୁ ସଂକ୍ରମଣ ହାର ବଢୁଛି ସେହି ଅଞ୍ଚଳକୁ ରେଡ୍ କାଟାଗୋରୀରେ ରଖାଯାଇଛି ।

ତେବେ ସବୁଠାରୁ ବଡ଼ କଥା ହେଲା କି, କରୋନା ପରିଚାଳନା ଏବଂ ଟେଷ୍ଟିଂ ନେଇ ଖୋର୍ଦ୍ଧା ଜିଲ୍ଲାରେ ଏବେ ୨୨ ଟିମ୍ କାର୍ଯ୍ୟ କରୁଛନ୍ତି । ସିଡ଼ିଏମଓ ଅଫିସରେ ୨୪ ଘଣ୍ଟିଆ ଜରୁରୀକାଳୀନ ହେଲ୍ପଲାଇନ୍ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରୁଛି । (୦୬୭୫୫୨୨୩୧୭୮) ଏହି ନମ୍ବରରେ ଆପଣ କରୋନା ସମ୍ପର୍କିତ ସମସ୍ତ ସମସ୍ୟା ଜଣାଇପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ ସନତ କୁମାର ମହାନ୍ତି ।