ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜାଣନ୍ତୁ ବର୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା କେତେ ଓ କେତେ ଜଣଙ୍କର ଗଲାଣି ଜୀବନ?

420

କନକ ବ୍ୟୁରୋ : ଦେଶବ୍ୟାପି ତାଲାବନ୍ଦ ଲାଗୁ ହୋଇଥିଲେ ମଧ୍ୟ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୬୧୦କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୧ ହଜାର ୭୫ରେ ପହଁଚିଛି । ଏବଂ ଏପର୍ଯ୍ୟନ୍ତ ଦେଶରେ ମୋଟ ୮ ହଜାର ୩୭୩ ସୁସ୍ଥ ହୋଇଛନ୍ତି । ଅର୍ଥାତ ଦେଶର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଏବେ ୨୪ ହଜାର ୧୬୨ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୯ ହଜାର ୯୧୫ରେ ପହଁଚିଛି ଏବଂ ୪୩୨ ଜଣଙ୍କର ଜୀବନ ଯାଇଛି । ସେହିପରି ଗୁଜୁରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ୮୨ରେ ପହଁଚିଛି ଓ ୧୯୨ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ ୩ ହଜାର ୪୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ଓ ୫୬ ଜଣଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ଟପି ଯାଇଛି ଏବଂ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୦ ହଜାର ଛୁଇଁଛି । କେବଳ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୦ ହଜାର ଟପିଥିବାବେଳେ ମୃତ୍ୟୁ ସଂଖ୍ୟା ୬୧ ହଜାର ଟପି ଯାଇଛି । ସେପଟେ ଋଷିଆରେ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇ ୧ ଲକ୍ଷରେ ପହଁଚିବାକୁ ବସିଛି । ଏପରିକି ଋଷିଆର ପ୍ରଧାନମନ୍ତ୍ରୀ ମିଖାଇଲ୍ ମିସୁଷ୍ଟିନ୍ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ବ୍ରିଟେନରେ କରୋନା ସଂକ୍ରମଣ ଶିଖର ସ୍ତରକୁ ଅତିକ୍ରମ କରି ସାରିଛି ଓ ଆସନ୍ତା ସପ୍ତାହରେ ଜନଜୀବନ ସ୍ୱାଭାବିକ ହେବ ବୋଲି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କହିଛନ୍ତି ।