ବାହାର ଶବକୁ ସ୍ୱର୍ଗଦ୍ୱାର ମନା । କାଲିଠୁ ଅନ୍ତିମ ସଂସ୍କାର ପାଇଁ ସ୍ୱର୍ଗଦ୍ୱାର ଆସିପାରିବେ ନାହିଁ ବାହାର ଜିଲ୍ଲାର ଲୋକ । କରୋନା ପାଇଁ କୌଣସି ମୃତଦେହର ଅନ୍ତିମ ସଂସ୍କାର ପାଇଁ ମିଳିବନି ଅନୁମତି ।

1,054

କନକ ବ୍ୟୁରୋ: ବାହାର ଜିଲ୍ଲା ଶବକୁ ମନା ପୁରୀ ସ୍ୱର୍ଗଦ୍ୱାର । ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରୁ କୌଣସି ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ଅନୁମତି ଦିଆଯିବ ନାହିଁ । ଆସନ୍ତାକାଲି ଠାରୁ ଏହାକୁ କଡାକଡି ଭାବେ ପାଳନ କରାଯିବ । ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଏହି ସୂଚନା ଦେଇଛନ୍ତି ।

ତେବେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ଏହି କଟକଣା ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗୁ କରାଯାଇଛି । ଏହି ନିଷ୍ପତି ଅତ୍ୟନ୍ତ କଠୋର ହୋଇଥିଲେ ମଧ୍ୟ ସମସ୍ତଙ୍କ ସୁରକ୍ଷା ପାଇଁ ଏପରି କଟକଣା କରାଯାଇଛି । ଆଗକୁ ପରିସ୍ଥିତିରେ ସୁଧାର ଆସିଲେ ଏହି କଟକଣା କୋହଳ କରାଯିବ ।

କେବଳ ପୁରୀ ଜିଲ୍ଲାବାସୀ ନିଜ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର ସ୍ୱର୍ଗଦ୍ୱାରରେ କରିବା ପାଇଁ ଅନୁମତି ରହିଥିବା କହିଛନ୍ତି ପୁରୀ ଜିଲ୍ଲାପାଳ । ମୃତ ବ୍ୟକ୍ତିଙ୍କ ସହିତ ଆସୁଥିବା ବ୍ୟକ୍ତିଙ୍କ ପାଖରେ କୋଭିଡ ଭୂତାଣୁ ଥିବାର ଆଶଙ୍କା ରହିଛି । ଯଦି ଜଣଙ୍କ ଦେହରେ ଏହି ଭୂତାଣୁ ଥାଏ, ତାହା ହେଲେ ଏହା ସମସ୍ତ ଲୋକଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଛି । ତେଣୁ ଏପରି କଟକଣା ଲଗାଯାଇଛି । ଏଥିରେ ସମସ୍ତଙ୍କ ସହଯୋଗ କାମନା କରାଯାଇଛି ।