କନକ ବ୍ୟୁରୋ: ଗଂଜାମ ବାଟରେ ରାଜଧାନୀ! ଭୁବନେଶ୍ୱରରେ କରୋନା ମିଟର ଉପରମୁହାଁ । ଦିନକୁ ଦିନ ରାଜଧାନୀରେ ବଢି ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଗଂଜାମ ଜିଲ୍ଲା ଯେଭଳି ଚିନ୍ତାଜନକ ସ୍ଥିତିରେ ପହଂଚିଛି, ରାଜଧାନୀର ଅବସ୍ଥା ଅନୁଧ୍ୟାନ କଲେ ଠିକ୍ ସେହିପରି ମନେ ହୁଏ । ଜୁଲାଇ ୧୨ ତାରିଖରୁ ୧୮ ତାରିଖ ମଧ୍ୟରେ ଗଂଜାମ ଓ ଭୁବନେଶ୍ୱର ସ୍ଥିତି ଉପରେ ଏବେ ନଜର ପକାଇବା ।
ଗଂଜାମଭୁବନେଶ୍ୱର
ଜୁଲାଇ ୧୨ ୨୩୦ ୬୪
ଜୁଲାଇ ୧୩ ୨୮୩ ୧୪
ଜୁଲାଇ ୧୪ ୧୮୮ ୫୧
ଜୁଲାଇ ୧୫ ୨୮୬ ୯୦
ଜୁଲାଇ ୧୬ ୨୪୬ ୬୦
ଜୁଲାଇ ୧୭ ୨୩୧ ୧୨୪
ଜୁଲାଇ ୧୮ ୧୮୨ ୮୭
ଗତ ୭ ଦିନ ମଧ୍ୟରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୭୫ ହୋଇଥିବା ବେଳେ କେବଳ ଗଂଜାମ ଜିଲ୍ଲାରେ ମୋଟ ୧୬୪୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପଟେ ରାଜଧାନୀରେ ଏହି ସଂଖ୍ୟା ୪୯୦ ହୋଇଛି ।
ଲକ୍ଡାଉନ୍ ମାଧ୍ୟମରେ ବଢିଚାଲିଥିବା ସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ହେଲେ ଲକ୍ଷଣ ଥିବା ରୋଗୀଙ୍କ ଠାବ କରିବା ସହ ସେମାନଙ୍କର ଟେଷ୍ଟିଂ ଏବଂ କଂଟାକ୍ଟ ଟ୍ରେସିଂ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଆହ୍ୱାନ ଆଣିଛି । ଏହାରି ଭିତରେ ଭୁବନେଶ୍ୱରରେ ଘରକୁ ଘର ବୁଲି ଯାଂଚ ଆରମ୍ଭ କରିଛନ୍ତି ବିଏମସି କର୍ମଚାରୀ ।
ହିସାବ ଅନୁସାରେ ଏହି ସପ୍ତାହ ମଧ୍ୟରେ ରାଜ୍ୟର ଆକ୍ରାନ୍ତ ସଂଖ୍ୟାର ପ୍ରାୟ ୩୯ ପ୍ରତିଶତ ଗଂଜାମରେ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପଟେ ଏହି ସମୟରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟ ଆକ୍ରାନ୍ତ ସଂଖ୍ୟାର ପ୍ରାୟ ୧୨ ପ୍ରତିଶତ । ଏପରିକି ଖୋର୍ଦ୍ଧା ଜିଲ୍ଲା ୬୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ କେବଳ ରାଜଧାନୀରେ ଚିହ୍ନଟ ହେଉଛନ୍ତି ।
ଗୋଟିଏ ପଟେ କରୋନା ସଂକ୍ରମଣରେ ଗଂଜାମ ସରକାରଙ୍କ ଫୋକସରେ ଥିବା ବେଳେ ରାଜଧାନୀରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଶାସନର ମୁଣ୍ଡବ୍ୟଥା ବଡାଇଛି । ତେବେ ଯେଉଁ ହାରରେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଆଗାମୀ ଦିନରେ ଏଠାରେ ଗଂଜାମ ସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ ।