ରାଜ୍ୟରେ ମାଡି ଚାଲିଛି କରୋନା । ଆଜି ଦିନକରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ । ଗୋଟିଏ ଦିନରେ ୫୨ ପଜିଟିଭ । କେବଳ ଗଞ୍ଜାମରେ ୪୩ ଚିହ୍ନଟ ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧କୁ ବଢିଲା ।

1,659

କନକ ବ୍ୟୁରୋ: ରାଜ୍ୟରେ ଆଜି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ । ପୂର୍ବର ସବୁ ରେକର୍ଡକୁ ଭାଙ୍ଗିଛି ଆଜିର କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ବର୍ତ୍ତମାନ ସୁଦ୍ଧା ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଆଜି ଗୋଟିଏ ଦିନରେ ଗଂଜାମରେ ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହାସହ ଗଂଜାମରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୭୧ରେ ପହଁଚିଛି । ଆଜି ସକାଳେ ଗଂଜାମରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଏବଂ ସନ୍ଧ୍ୟାରେ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକାଳେ ଚିହ୍ନଟ ହୋଇଥିବା ୧୯ ଆକ୍ରାନ୍ତ ସୁରତରୁ ଫେରିଥିବା ନେଇ ରାଜ୍ୟ ସରକାର ସ୍ପଷ୍ଟ କରିଥିବାବେଳେ ସନ୍ଧ୍ୟାରେ ଚିହ୍ନଟ ଆକ୍ରାନ୍ତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯାଇ ନାହିଁ ।

ସେପଟେ ଆଜି ଦିନରେ କେନ୍ଦ୍ରାପଡାରୁ ୫ ଜଣ, ଭଦ୍ରକରୁ ୩ ଜଣ ଓ ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଁଚିଛି । ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟାଇନ ସେଂଟରରେ ରହୁଥିଲେ । ତେବେ ଗତ ଦୁଇ ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏମିତି ହୁ ହୁ ହୋଇ ବଢିବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢିଯାଇଛି ।