ସଂସାର ଉଜାଡିଦେଲା ସଂକ୍ରମଣ । ପରିବାରର ୪ ଜଣ ହୋଇଥିଲେ ସଂକ୍ରମିତ । ହସପିଟାଲରେ ପ୍ରାଣ ହରାଇଲେ ଶାଶୁ-ଶ୍ୱଶୁର ଓ ସ୍ୱାମୀ । ମୃତ୍ୟୁର ପଞ୍ଝାରୁ ବର୍ତ୍ତିଗଲେ ବୋହୂ… ଦିଗପହଣ୍ଡିରୁ ଆସିଲା କରୋନାର କରୁଣ କାହାଣୀ…

1,938

କନକ ବ୍ୟୁରୋ: ସଂସାର ଉଜାଡିଦେଲା ସଂକ୍ରମଣ । ମହାମାରୀ ମାରିଦେଲା ଅଧା ପରିବାର । କରୋନା ପାଟିରେ ଚାଲିଗଲା ପରିବାରର ୩ ଜଣଙ୍କ ଜୀବନ । ପ୍ରଥମେ ମାଆ, ପରେ ବାପା ଏବଂ ତାପରେ ଘରର ରୋଜଗାରିଆ ପୁଅକୁ ଟାଣିନେଲା କରୋନା । ପରିବାରର ୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । ବାପା-ମାଆ ଓ ପୁଅ କରୋନା ଭୂତାଣୁରେ ସଂକ୍ରମିତ ହୋଇ ଜଣେ ପରେ ଜଣେ ପ୍ରାଣ ହରାଇଛନ୍ତି । ହେଲେ ଭୂତାଣୁର ସେ ଭୟଙ୍କର ଆଁରୁ ବଞ୍ଚିଯାଇଛନ୍ତି ବୋହୂ ।

ବାପା, ମାଆ, ପୁଅ, ବୋହୂ ଓ ନାତିନାତୁଣିଙ୍କୁ ନେଇ ଚାଲିଥିଲା ହସ ଖୁସିର ସଂସାର । ହେଲେ ପରିବାର ଉପରକୁ କାଳ ହୋଇ ମାଡିଆସିଲା ମହାମାରୀ କରୋନା । ପରିବାରର ୪ ଜଣ ଯାକ କରୋନା ଭୂତାଣୁରେ ସଂକ୍ରମିତ ହେଲେ । ତେବେ ତିନି ଜଣ ଅର୍ଥାତ୍ ବାପା, ମାଆ ଓ ପୁଅ କରୋନା ଆଗରେ ହାରିଗଲେ । ଭୂତାଣୁର ଚକ୍ରବ୍ୟୂହ ଭିତରୁ କେବଳ ବଂଚିଗଲେ ବୋହୂ । ଦିଗପହଣ୍ଡିର ୪୧ ବର୍ଷିୟ ଯୁବ ବ୍ୟବସାୟୀ ଜିତେନ୍ଦ୍ର ପାତ୍ର ଓ ତାଙ୍କ ବାପା-ମାଆଙ୍କ ମୃତ୍ୟୁ ହୋଇଯାଇଛି । ଶାଶୁ-ଶଶୁର ଓ ସ୍ୱାମୀଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ସ୍ତ୍ରୀ । ସ୍ତବ୍ଧ ହୋଇଯାଇଛି ପୂରା ଦିଗପହଣ୍ଡି ।

ଗତ ୧୦ ତାରିଖରେ ଜିତେନ୍ଦ୍ର, ତାଙ୍କ ବାପା-ମାଆ ଓ ସ୍ତ୍ରୀଙ୍କ କରୋନା ପଜିଟିଭ ରିପୋର୍ଟ ଆସିଥିଲା । ସେହିଦିନ ରାତିରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଶୀତଳାପଲ୍ଲୀ କୋଭିଡ- ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ପ୍ରଥମେ ମାଆ ଜାନକୀ ପାତ୍ରଙ୍କ ଉପରେ ସବାର ହୋଇଥିଲା ମୃତ୍ୟୁ । ପରେ ପରେ ଗତ ସୋମବାର ଦିନ କରୋନାର କାଳ ଚକ୍ରରେ ଫସିଗଲେ ଜିତେନ୍ଦ୍ର ଓ ବାପା କୃଷ୍ଣଚନ୍ଦ୍ର । ଦିଗପହଣ୍ଡି ବସ୍ଷ୍ଟାଂଡରେ ଏକ ଇଲୋକ୍ଟ୍ରୋନିକ ଦୋକାନ କରି ଗୁଜରାଣ ମେଂଟାଉଥିଲେ ଜିତେନ୍ଦ୍ର ।

ବୋହୂଙ୍କ ଆଖି ସାମ୍ନାରେ ଯେତେବେଳେ ଶାଶୁ ଶ୍ୱଶୁର ଚାଲିଯାଇଥିଲେ ସେତେବେଳେ ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ସ୍ତ୍ରୀ । କିନ୍ତୁ କରୋନା ବି ସ୍ୱାମୀଙ୍କ ନେଇଗଲା । ଆଉ ମୃତ୍ୟୁ ଜଣଜଣ କରି ନେଲାବେଳେ କରୋନା ପଞ୍ଝାରୁ ବର୍ତ୍ତିଯାଇଥିଲେ ସ୍ତ୍ରୀ । ତେବେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ସହ ଦିଗପହଣ୍ଡିରେ ଗତ ୧୨ ଦିନରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରତିଦିନ ଏହି ଅଂଚଳରୁ ପ୍ରାୟ ୨୦ ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।