କରୋନା ମୃତ୍ୟୁର ଦୁଇଟି ହୃଦୟ ବିଦାରକ ଚିତ୍ର : ସଂକ୍ରମଣ ଭୟରେ ଆସିଲେନି ସାହିପଡିଶା; ଶଗଡ ଓ ସାଇକେଲ ବୁହାହେଲା ଶବ

179

କନକ ବ୍ୟୁରୋ : କୋକେଇକୁ ମିଳିନି କାନ୍ଧ । ଶଗଡରେ ବୁହା ହେଲା ଶବ । ଦେବଗଡ ଜିଲ୍ଲାରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ କରୋନା ଆକ୍ରାନ୍ତ ବୃଦ୍ଧଙ୍କ ମୃତ୍ୟୁ ପରେ ସଂକ୍ରମଣ ଭୟରେ ପାଖ ମାଡିନଥିଲେ ସାହି ପଡିଶା । ଫଳରେ ସଫେଇ କର୍ମଚାରୀମାନେ ତାଙ୍କୁ ଏକ ଶଗଡରେ ଶ୍ମଶାନକୁ ନେଇଥିଲେ । ତିଲେଇବଣି ବ୍ଲକ ସୁଗୁଡା ଗାଁର ଚନ୍ଦ୍ର ଶେଖବର ସାହୁ, କରୋନା ଆକ୍ରାନ୍ତ ହେବାପରେ ଡାକ୍ତରଙ୍କ ପରାମର୍ଶରେ କିଛିଦିନ ହେଲା ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ ।

ଗତରାତିରେ ତାଙ୍କ ସ୍ୱାସ୍ଥ୍ୟରେ ଅବନତୀ ହେବାରୁ ପରିବାର ଲୋକେ ତାଙ୍କ ଚିକିତ୍ସା ପାଇଁ କୋଭିଡ ସହାୟତା କେନ୍ଦ୍ରକୁ ସୂଚନା ଦେଇଥିଲେ । କୋଭିଡ କର୍ମଚାରୀ ପହଂଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ସଂକ୍ରମଣ ଭୟରେ ଗାଁ ଲୋକ ପାଖ ମାଡିନଥିବାବେଳେ । ପୌର ପ୍ରଶାସନକୁ ଖବର ଦେବାରୁ ୪ ଜଣ ସଫେଇ କର୍ମଚାରୀ ଆସି ତାଙ୍କୁ ଏକ ଖୋଲା ଶଗଡ ଗାଡିରେ ଶ୍ମଶାନକୁ ନେଇଥିବା ଦେଖିବାକୁ ମିଳିଥିଲା ।

ବାପାର ଶବକୁ ସାଇକେଲରେ ବୋହିଲା ପୁଅ । କରୋନା ଭୟରେ ବନ୍ଧୁ, ସାହି ପଡିଶା ଶବକୁ କାନ୍ଧ ଦେବାପାଇଁ ନ ଆସିବାରୁ ବାଧ୍ୟହୋଇ ପୁଅ, ବାପାର ଶବକୁ ସାଇକେଲରେ ବୋହି ନେଇ ସକ୍ରାର କରିଛି । ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଭାଲୁଡୁଙ୍ଗି ଗାଁରେ । ଗାଁର ଅଯୋଧ୍ୟା ସାହୁ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ଥିବାବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି । ସେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଘରେ ସଙ୍ଗରୋଧରେ ରହି ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରାଉଥିଲେ ।

ତେବେ ଗତକାଲି ତାଙ୍କର ମୃତ୍ୟୁ ପରେ କରୋନା ସଂକ୍ରମଣ ଭୟରେ ସାହି ପଡିଶାରୁ କେହି ବି ଶବକୁ କାନ୍ଧ ଦେବା ପାଇଁ ଆସିନଥିଲେ । ଶେଷରେ ପୁଅ ବାଧ୍ୟ ହୋଇ ବାପାର ଶବକୁ ସାଇକେଲରେ ବୋହିନେଇ ସକ୍ରାର କରିଥିଲେ । କିନ୍ତୁ ଶବ ନେବା ପ୍ରଶାସନର କୌଣସି ସହାୟତା ଲୋଡିନଥିଲେ । ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ସରକାରୀ ଗାଡି ପାଇଁ ଅନୁରୋଧ କରିନଥିଲେ ବୋଲି ଜଣାପଡିଛି । ଏବେ ଏହି କୋଭିଡ ମୃତ୍ୟୁ ସମ୍ପର୍କରେ ଓ ବାପାର ଶବକୁ ପୁଅ ସାଇକେଲରେ ଶ୍ମଶାନକୁ ନେବା ପ୍ରସଙ୍ଗରେ ପ୍ରଶାସନର ପ୍ରତିକ୍ର୍ରିୟାକୁ ଅପେକ୍ଷା କରାଯାଇଛି ।