ପଶ୍ଚିମବଙ୍ଗରୁ ଚିହ୍ନଟ ହେଲା କରୋନା ଭାଇରସର ସାଙ୍ଘାତିକ ରୂପ । ଟିକା ନେଇଥିଲେ ବି କରିପାରେ ସଂକ୍ରମିତ । ଓଡିଶାକୁ ରହିବାକୁ ହେବ ସତର୍କ

ଜେନମ ସିକୁଏନସିଂରୁ ଜଣାପଡିଲା ଟ୍ରିିପଲ ମ୍ୟୁଟାଂଟ କରୋନା ଭାଇରସ୍

141

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଡବଲ୍ ମ୍ୟୁଟାଂଟ କରୋନା ଭୂତାଣୁ ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା ବେଳେ ପଡ଼ୋଶୀ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଛି ଟ୍ରିପଲ୍ ମ୍ୟୁଟାଂଟ କରୋନା ଭୂତାଣୁ । ଏହାକୁ ବେଙ୍ଗଲ ଷ୍ଟ୍ରେନ୍ ମଧ୍ୟ କୁହାଯାଉଛି । ଡବଲ୍ ମ୍ୟୁଟାଂଟ ଭୂତାଣୁ ଅର୍ଥାତ ବି-୧-୬୧୭ କରୋନା ଭୂତାଣୁ ଯୋଗୁଁ ମହାରାଷ୍ଟ୍ରରେ ନିଆଁ ଭଳି ସଂକ୍ରମଣ ବ୍ୟାପୁଥିବା କୁହାଯାଉଛି ।

ଏପଟେ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଥିବା ଟ୍ରିପଲ୍ ମ୍ୟୁଟାଂଟ ଭୂତାଣୁକୁ ବି-୧-୬୧୮ ନାଁ ଦେଇଛନ୍ତି ଭୂତାଣୁବିତ୍ । ଏହା ଅଧିକ ସଂକ୍ରାମକ ଏବଂ ଅଧିକ ସାଂଘାତିକ ବୋଲି କୁହାଯାଉଛି । ପଡ଼ୋଶୀ ପଶ୍ଚିମବଙ୍ଗରେ ଏହା ଚିହ୍ନଟ ହୋଇଥିବାରୁ ଓଡ଼ିଶାରେ ଏହି ଭୂତାଣୁ ସଂକ୍ରମଣ କରିବା ସମ୍ଭାବନା ଅଧିକ । କାରଣ ପ୍ରତିଦିନ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ବହୁ ଲୋକ ଯିବା ଆସିବା କରିଥାନ୍ତି ।
ନଜର ପକାନ୍ତୁ ଭୂତାଣୁର ମ୍ୟୁଟେସନ୍ କାହିଁକି ହୁଏ ଏବଂ କ’ଣ ଏହି ଟ୍ରିପଲ୍ ମ୍ୟୁଟାଂଟ –

  • ତିନିଟି ଭିନ୍ନ ଭିନ୍ନ କୋଭିଡ୍ ଷ୍ଟ୍ରେନ୍ ମିଶି ଏକ ନୂଆ ଷ୍ଟ୍ରେନ୍ ସୃଷ୍ଟି ହେବା
  • ଅର୍ଥାତ ୩ଟି ପ୍ରଜାତି ମିଶି ନୂଆ ପ୍ରଜାତିର ଭୂତାଣୁ ସୃଷ୍ଟି ହେବା
  • ଭୂତାଣୁ ସବୁବେଳେ ରୂପ ବଦଳାଉଥାଏ
  • କିଛି ରୂପାନ୍ତର ଭୂତାଣୁକୁ ଦୁର୍ବଳ କରିଥାଏ
  • କିଛି ରୂପାନ୍ତର ଭୂତାଣୁକୁ ଶକ୍ତିିଶାଳୀ କରିଥାଏ
  • ସଂକ୍ରମଣ ଯେତେ ଅଧିକ ବ୍ୟାପେ, ଭୂତାଣୁର ରୂପାନ୍ତର ସେତିକି ଅଧିକ ହୁଏ
  • ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ଦିଲ୍ଲୀରେ ଚିହ୍ନଟ ହୋଇଛି ଟ୍ରିପଲ୍ ମ୍ୟୁଟାଂଟ
  • ଟ୍ରିପଲ୍ ମ୍ୟୁଟାଂଟ କରୋନା ଭୂତାଣୁ ହୋଇପାରେ ଅଧିକ ସଂକ୍ରମକ
  • ସହଜରେ ଭେଦ କରିପାରେ ଶରୀରର ସୁରକ୍ଷା ବଳୟ

ଡବଲ ମ୍ୟୁଟାଂଟ ଭୂତାଣୁ ଯୋଗୁଁ ଭାରତରେ କରୋନାର ଦ୍ୱିତୀୟ ଲହରରେ ବ୍ରେକ ଲାଗୁନାହିଁ ବୋଲି କୁହାଯାଉଥିବା ବେଳେ ଟ୍ରିପଲ୍ ମ୍ୟୁଟାଂଟ ଭୂତାଣୁ ଆହୁରି ଅଧିକ ସଂକ୍ରମକ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରୁଛନ୍ତି ବିଶେଷଜ୍ଞ । ଶରୀରରେ ଆଂଟିବଡି ତିଆରି ହୋଇଥିଲେ ମଧ୍ୟ ଏହି ପ୍ରକାର ଭୂତାଣୁ ଯୋଗୁଁ ଶରୀରରେ ସଂକ୍ରମଣ ହେବା ସମ୍ଭାବନା ରହିଛି । ଏପରିକି କରୋନା ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଏହି ପ୍ରକାର ଭୂତାଣୁ ସଂସ୍ପର୍ଶରେ ଆସିଲେ ଆକ୍ରାନ୍ତ ହୋଇପାରନ୍ତି । ଯାହା ସବୁଠୁ ଅଧିକ ଚିନ୍ତାର କାରଣ ପାଲଟିଛି ।