କରୋନା ଛଡେଇ ନେଲା କାରିଗରଙ୍କ ଜୀବିକା । କରୋନାର ଦ୍ୱିତୀୟ ଲହରରେ ପ୍ରଭାବିତ ହୋଇ ବେଉସା ହରାଇଲେ ବେତ କାରିଗର

60

କନକ ବ୍ୟୁରୋ: ସମସ୍ୟା ଘେରରେ ବେତ କାରିଗର । ଦୀର୍ଘ ପଚାଶ ବର୍ଷ ଧରି ଚଳିଆସୁଥିବା ବୃତି ଏବେ କରୋନା ପାଇଁ ବାଧାପ୍ରାପ୍ତ । ନା ଅଛି ବିକ୍ରି ନା ମିଳିଛି କିଛି ସରକାରୀ ସହାୟତା । ଆମେ କହୁଛୁ ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ କଂଟାବଣିଆ ଗାଁର କୁଶଳୀ ବେତ କାରିଗରଙ୍କ କଥା । କରୋନ ସତେ ଯେମିତି ସେମାନଙ୍କ ମୁହଁରୁ ଛଡାଇ ନେଇଛି ହସ ।

ଘର ଅଗଣାରେ ବେତରେ ତିଆରି ଚାଲିଛି ଟୋକେଇ । ବେତରେ ଭଳିକି ଭଳି ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ହେଲେ କରୋନା ଯୋଗୁଁ ବିକ୍ରି ହୋଇପାରୁ ନାହିଁ । କରୋନା କାରିଗରଙ୍କ ଏକ ପ୍ରକାର ଜୀବିକା ଛଡେଇ ନେଇଛି । ବେତ ତିଆରି ସାମଗ୍ରୀ ବିକ୍ରି ହେଉନଥିବାରୁ ଆର୍ଥିକ ଅନଟନରେ ଜୀବନ ଯାପନ କରୁଛନ୍ତି ଧର୍ମଶାଳା ବ୍ଲକ କଂଟାବଣିଆ ଗାଁରେ ବେତ କାରିଗର । କାରିଗରଙ୍କ ହାତ ତିଆରି ବେତ ସାମଗ୍ରୀର ବେଶ ଚାହିଦା ରହିଛି । ମାତ୍ର ମହାମାରୀ କରୋନ ମହାମାରୀ ପାଇଁ କାରବାର ଠପ୍ ହୋଇପଡିଛି ।

ହାତ ତିଆରି ବେତ ସାମଗ୍ରୀ ଯଥା ଗୋଉଣୀ, କୁଂଚ, ମାଣ, ଶେର, ଟୋକେଇ, ସୋଫା ଓ ଘର ସଜା ଉପକରଣକୁ ଦେଖିଲେ ବୁଝିହୁଏ ଏମାନେ କେତେ କୁଶଳୀ କରିଗର । କିଛି ଦିନ ତଳେ ଜିଲ୍ଳା ଶିଳ୍ପକେନ୍ଦ୍ର କଳିଙ୍ଗନଗର ପକ୍ଷରୁ କାରିଗରମାନଙ୍କୁ ଅଧିକ ପ୍ରଶିକ୍ଷିତ କରି ବ୍ୟବସାୟ ବଢାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ମାତ୍ର ତାହା କରୋନା ଦ୍ୱିତୀୟ ଲହର ଯୋଗୁଁ ବନ୍ଦ ରହିଛି ।

ବେତ ଜଙ୍ଗଲରେ ମିଳୁଥିବାରୁ କାରିଗରମାନେ ପାହାଡ,ପର୍ବତରୁ ବେତ ସଂଗ୍ରହ କରି ଅନେକ ସମୟରେ ଜଙ୍ଗଲ ବିଭାଗର ରୋଷର ଶୀକାର ହୋଇଥାନ୍ତି । ହେଲେ ଏବେ କରୋନା କାରିଗରଙ୍କଠୁ ଜୀବିକା ଛଡାଇ ନେଇଛି ।