କନକ ବ୍ୟୁରୋ : ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କେବଳ ମନପ୍ରୀତ ନୁହଁନ୍ତି ଆଉ ୪ଜଣ ଖେଳାଳିଙ୍କ ସ୍ୱାବ୍ ରିପୋର୍ଟ ବି କୋଭିଡ ପଜିଟିଭ୍ ଆସିଛି । ଏମାନେ ହେଉଛନ୍ତି, ସୁରେନ୍ଦର କୁମାର, ଜସ୍କରନ୍ ସିଂ, ବରୁନ୍ କୁମାର, ଏବଂ ଭାରତୀୟ ଦଳର ଗୋଲ କିପର କ୍ରିସନ୍ ପାଠକ । ଭାରତୀୟ ହକି ଟିମର ମୋଟ ୫ ଜଣ ଖେଳାଳି ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ବେଙ୍ଗାଲୁରୁରେ ଚାଲିଥିବା ଜାତୀୟ ହକି ଶିବିରରେ ଯୋଗ ଦେବା ପାଇଁ ଏହି ୫ ଜଣ ଖେଳାଳି ଆସିଥିଲେ । ହକି ଶିବିରରେ ଯୋଗ ଦେବା ପୂର୍ବରୁ କରୋନା ପରୀକ୍ଷା ବାଧ୍ୟତାମୂଳକ ଥିଲା ।
ରାପିଡ୍ ଆଂଟିଜେନ୍ ଟେଷ୍ଟରେ ପ୍ରଥମେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ତେବେ ମନପ୍ରୀତ ଓ ସୁରେନ୍ଦରଙ୍କ ଠାରେ ଲକ୍ଷଣ ଦେଖାଦେବା ପରେ ସେମାନଙ୍କର ଆରଟି-ପିସିଆର୍ ଟେଷ୍ଟ କରାଯାଇଥିଲା । ସେଥିରେ ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ପଜିଟିଭ୍ ଥିବା ଖେଳାଳି ମାନଙ୍କୁ ସଙ୍ଗରୋଧରେ ରଖାଯାଇଛି ।