୨୦୨୧ ଏପ୍ରିଲ ଆଡକୁ ଆସିପାରେ ଦେଶୀ କରୋନା ଟିକା: ପ୍ରାୟ ୧୪ଟି ରାଜ୍ୟର ୩୦ଟି ସ୍ଥାନରେ ହେବାକୁ ଯାଉଛି ୩ୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ସଫଳ ପରୀକ୍ଷଣ ପରେ ଆବଶ୍ୟକ ଅନୁମତି ମିଳିଲେ ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ଟିକା ଯୋଗାଇବ ଭାରତ ବାୟୋଟେକ

251

କନକ ବ୍ୟୁରୋ: ଆସନ୍ତା ବର୍ଷ ଦ୍ୱିତୀୟ କ୍ୱାଟରରେ ଆସିପାରେ ଦେଶୀ କରୋନା ଟିକା । କୋଭାକ୍ସିନ୍ ନାଁରେ କରୋନା ଟିକା ତିଆରି କରୁଛି ଭାରତ ବାୟୋଟେକ୍ । ଏଥିପାଇଁ ଆବଶ୍ୟକ ଅନୁମତି ମିଳିଲେ ୨୦୨୧ ଏପ୍ରିଲ ମାସ ଆଡକୁ ଏହି ଟିକା ଛାଡିବାକୁ ଯୋଜନା କରିଛି କଂପାନୀ । ଭାରତ ବାୟୋଟେକ୍ର ଜଣେ ବରିଷ୍ଠ କର୍ମକର୍ତା ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ବର୍ତମାନର ଫୋକସ ହେଉଛି, ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ତୃତୀୟ ପର୍ଯ୍ୟାୟ ଟିକା ପରୀକ୍ଷଣ ସଫଳତାର ସହ ଶେଷ କରିବା । ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ୍ ରିସର୍ଚ ବା ଆଇସିଏମଆର ଏବଂ ନାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲଜି ସହଭାଗିତାରେ କୋଭାକ୍ସିନ୍ ନାଁରେ ଟିକା ପ୍ରସ୍ତୁତ କରୁଛି ଭାରତ ବାୟୋଟେକ୍ ।

ଶେଷ ପର୍ଯ୍ୟାୟ ପରୀକ୍ଷଣରେ ଟିକାର ସାମର୍ଥ୍ୟ ଓ ସୁରକ୍ଷା ନେଇ ପ୍ରମାଣ ମିଳିବା ପରେ ଯଦି ଟିକା ବ୍ୟବହାର ପାଇଁ ସରକାରଙ୍କ ଅନୁମତି ମିଳେ, ତେବେ ୨୦୨୧ ଏପ୍ରିଲ ଆଡକୁ କୋଭାକ୍ସିନ୍ ଉପଲବ୍ଧ ହେବ ବୋଲି କହିଛନ୍ତି ଭାରତ ବାୟୋଟେକ୍ର ଅନ୍ତର୍ଜାତୀୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ । କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଅନୁମତି ଦେଇଛି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ । ଦେଶର ପ୍ରାୟ ୧୪ଟି ରାଜ୍ୟରେ ପାଖାପାଖି ୩୦ଟି ସ୍ଥାନରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରିବାକୁ ଯାଉଛି ଭାରତ ବାୟୋଟେକ୍ । ଏହି ଟିକାକୁ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାକୁ ଯୋଗାଇବାକୁ ଯୋଜନା କରିଛି କଂପାନୀ । ତେବେ ଏହାର ମୂଲ୍ୟ କେତେ ରହିବ, ଏ ନେଇ କିଛି ସ୍ପଷ୍ଟ କରାଯାଇନାହିଁ ।