କରୋନା ଟିକାକୁ ନେଇ ବିବାଦ ଭିତରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ ବଡ ବୟାନ: କହିଲେ, କେବଳ ବିହାର ନୁହେଁ ସାରା ଦେଶରେ ମାଗଣାରେ ଦିଆଯିବ କରୋନା ଟିକା; ଓଡିଶାରେ ମାଗଣା ଟିକା କେବେ ବୋଲି ପ୍ରଶ୍ନ କରିଥିଲେ ରାଜା ସ୍ୱାଇଁ

285

କନକ ବ୍ୟୁରୋ: କରୋନା ଟିକାକୁ ନେଇ ବିବାଦ ଭିତରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ବଡ ବୟାନ ଦେଇଛନ୍ତି । କେବଳ ବିହାର ନୁହେଁ ସାରା ଦେଶରେ ମାଗଣାରେ କରୋନା ଟିକା ଦିଆଯିବ ବୋଲି ସେ କହିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ପୂର୍ବରୁ ଘୋଷଣା କରିବା ସହ ପାଣ୍ଠିର ମଧ୍ୟ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ବିହାରରେ ମାଗଣାରେ ଟିକା ଦେବାକୁ ବିଜେପିର ଇସ୍ତାହାରରେ ଘୋଷଣା କରାଯିବା ପ୍ରସଙ୍ଗରେ କହିଛନ୍ତି ସେଠି ନିର୍ବାଚନ ଥିବାରୁ ଇସ୍ତାହାର ପ୍ରକାଶ କରାଯାଇଛି । ଓଡିଶାରେ ମାଗଣା ଟିକା ଦେବା ପ୍ରସଙ୍ଗରେ ଦୁଇ କେନ୍ଦ୍ରମନ୍ତ୍ରୀ କାହିଁକି ଚୁପ୍ ବୋଲି ଗତକାଲି ସିିରିଜ୍ ଟୁଇଟ୍ କରି ପ୍ରଶ୍ନ କରିଥିଲେ ରାଜା ସ୍ୱାଇଁ ।

ଓଡ଼ିଶା ରାଜନୀତିରେ କୋଭିଡ଼ ଟୀକାକୁ ନେଇ ବିବାଦ । ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀଙ୍କୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ସିିରିଜ୍ ଟୁଇଟ୍ କରି ପ୍ରଶ୍ନ କରି କରିଥିଲେ । ବିହାରକୁ ମାଗଣାରେ କରୋନା ଟିିକା ଦେବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇ ପାରୁଛନ୍ତି, ତେବେ ଓଡିଶାର ଲୋକଙ୍କୁ ମାଗଣା ଟିକା ପ୍ରଦାନ କରିବା ପାଇଁ କଥା ଦେବାକୁ ପଛ ଘୁଂଚା କାହିଁକି? ନା ଏହା କେବଳ ଆଉ ଏକ ନିର୍ବାଚନୀ ଜୁମଲା ? ଓଡିଶାର ପ୍ରତିନିଧିତ୍ୱ କରୁଥିବା ଦୁଇ କେନ୍ଦ୍ର ମନ୍ତ୍ରୀ ସ୍ପଷ୍ଟିକରଣ ଦେବେକି ଏହା ପାତରଅନ୍ତର ନୁହେଁ କି? ଓଡିଶାରେ କରୋନା ଟିକାକରଣ ପାଇଁ ବିଜେପିର ଆଭିମୁଖ୍ୟ କଣ ଦୁଇ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟିକରଣ ରଖିବା ଆବଶ୍ୟକ । ଏହାର ଉତର ଓଡିଶାବାସୀ ଚାହୁଁଛନ୍ତି । ଏଥିସହ ରାଜ୍ୟ ସରକାର ଓଡିଶାବାସୀଙ୍କ ପାଇଁ ନିଜସ୍ୱ ପାଣ୍ଠିରୁ ଟିକା ନିର୍ମାତାଙ୍କୁ ପାଂଚ କୋଟି ଟଙ୍କା ପ୍ରଦାନ କରି ରାଜିନାମା କରିଛନ୍ତି ଓ ସବୁ ଓଡିଶାବାସୀଙ୍କ ଟିକାକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଟୁଇଟରେ ଲେଖିଥିଲେ ରାଜା ।