ଦିଲ୍ଲୀରେ ଉତ୍କଟ ରୂପ ନେଉଛି କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ । ୧୫ ଦିନରେ କରୋନା ନେଲାଣି ୧୧ଶହ ଜୀବନ, ପ୍ରତିଘଣ୍ଟାରେ ୩ ଜଣଙ୍କ ମୃତ୍ୟୁ

623

କନକ ବ୍ୟୁରୋ : ଦେଶର କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ହେଲେ ଦେଶର ରାଜଧାନୀ ଦିଲ୍ଲୀରେ ମହାମାରୀ ପ୍ରକୋପ ଦେଖିବାକୁ ମିଳିଛି । ଦିଲ୍ଲୀରେ କରୋନା ସଂକ୍ରମଣର ତୃତୀୟ ଲହରି ବା ଥାର୍ଡ ୱେଭ ଚାଲିଥିବା ବେଳେ ନଭେମ୍ବରରେ ସ୍ଥିତି ଆହୁରି ବିଗିଡିଯାଇଛି । ଦିଲ୍ଲୀରେ କରୋନା ବଢୁଥିବା ମାମଲା ପଛରେ ରହିଛି ଦୁଇଟି କାରଣ । ଗୋଟିଏ ବାୟୁ ପ୍ରଦୂଷଣ ଓ ଅନ୍ୟଟି କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ ।

ନଭେମ୍ବର ମାସ ଶେଷ ହୋଇନାହିଁ, କିନ୍ତୁ ଅଧା ମାସରେ କରୋନା ରେକର୍ଡ ଚିନ୍ତାଜନକ ରହିଛି । ଗତ ୧୫ ଦିନରେ ଦିଲ୍ଲୀରେ କରୋନା ମୃତ୍ୟୁ ସଂଖ୍ୟା ୧୧୦୩ରେ ପହଂଚିଛି । ଅର୍ଥାତ ଦିନକୁ ୭୩ ଜଣଙ୍କ ମୃତ୍ୟୁ ହେଉଛି ଓ ପ୍ରତି ଘଂଟାରେ ୩ ଜଣଙ୍କ ଜୀବନ ନେଉଛି କରୋନା । ଗତ ସପ୍ତାହରେ ଦିଲ୍ଲୀରେ ପ୍ରତି ଦିନ ୯୦ ଜଣ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ଦୈନିକ ୬ରୁ ୭ ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଦିଲ୍ଲୀ ସରକାରଙ୍କ ଚିନ୍ତା ବଢିଯାଇଛି ।

ନଭେମ୍ବର ୧୫ରେ ଦିଲ୍ଲୀରେ କରୋନା ସ୍ଥିତିକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ କରିସାରିଛନ୍ତି । ତେଣୁ ପୁଣି ଥରେ ଲକଡାଉନ ଲାଗୁ ହେବା ନେଇ ଚର୍ଚା ଜୋର ଧରିଛି । ତେବେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ପୁଣି ତାଲାବନ୍ଦ କରାଯିବ ନାହିଁ ।

ଦିଲ୍ଲୀରେ ବର୍ତମାନ ସୁଦ୍ଧା ୭,୬୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କୋଭିଡ ଜନିତ ମୃତ୍ୟୁ ଦର ରହିଛି ୧.୫ ପ୍ରତିଶତ । ବର୍ତମାନ ଦିଲ୍ଲୀରେ ୩୯ ହଜାର ୯୯୦ ସକ୍ରିୟ ସଂକ୍ରମିତ ଥିବା ବେଳେ ୪ ଲକ୍ଷ ୩୭ ହଜାର ୮୦୧ ଜଣ ସୁସ୍ଥ ହୋଇଛନ୍ତି । ତେବେ ନଭେମ୍ବରରେ କରୋନା ସଂକ୍ରମଣ ବଢିବା ଦିଲ୍ଲୀବାସୀଙ୍କୁ ଡରାଇ ଦେଇଛି ।