କରୋନା : ୧୪ ଯାଏ ଉଠିଲା ଲକ୍‌ଡାଉନ୍‌-ସଟ୍‌ଡାଉନ୍‌

1,743

କନକ ବ୍ୟୁରୋ : କରୋନା ମହାମାରିର ମୁକାବିଲା ଲାଗି କେନ୍ଦ୍ର ସରକାର ଜାରି କରିଥିବା କଟକଣା ନିୟମରେ ବଡ଼ ଧରଣର ପରିବର୍ତନ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଅନ୍‌ଲକ୍-୪ ଗାଇଡ୍‌ଲାଇନ୍ସରେ ସ୍ପଷ୍ଟ କରି ଦିଆଯାଇଛି ଯେ କଣ୍ଟେନମେଣ୍ଟ୍ ଜୋନ୍ ବାହାରେ କୌଣସି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଲକ୍ ଡାଉନ୍ ଘୋଷଣା କରିପାରିବେ ନାହିଁ। ଯଦି କୌଣସି ରାଜ୍ୟ ସରକାର ଏଭଳି କଟକଣା ଲାଗୁ କରିବାକୁ ଚାହିଁବେ ତାହାହେଲେ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଠାରୁ ଆଗୁଆ ଅନୁମତି ନେବାକୁ ପଡ଼ିବ।

ରାଜ୍ୟ ଭିତରେ ଏବଂ ରାଜ୍ୟମାନଙ୍କ ମଧ୍ୟରେ କୌଣସି ପ୍ରକାର ଯାତାୟତକୁ ମଧ୍ୟ କଟକଣାମୁକ୍ତ ରଖାଯାଇଛି। ସେପ୍ଟେମ୍ବର ମାସରେ ମଧ୍ୟ ସ୍କୁଲ ଓ କଲେଜ ବନ୍ଦ ରହିବ। ତେବେ ଧାର୍ମିକ, ସାମାଜିକ ଏବଂ ରାଜନୈତିକ ସମାବେଶ କଟକଣାକୁ କୋହଳ କରାଯାଇଛି। ଏଭଳି ସମାବେଶରେ ସର୍ବାଧିକ ୧୦୦ ଲୋକ ଭାଗ ନେଇପାରି‌ବେ ବୋଲି କୁହାଯାଇଛି। ଏହା ସେପ୍‌ଟେମ୍ବର ୨୧ ତାରିଖରୁ ଲାଗୁ ହେବ।

ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ଜେଇଇ ଓ ନିଟ୍‌ ପରୀକ୍ଷାର୍ଥୀଙ୍କ ଯିବାଆସିବା ପାଇଁ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କୌଣସି ବି ସ୍ଥାନରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ କଟକଣା ଲାଗୁ ହେବନାହିଁ। ଏ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେପ୍ଟେମ୍ବର ପହିଲାରୁ ୬ ତାରିଖ ପର୍ଯ୍ୟନ୍ତ ଜେଇଇ (ମେନ୍‌) ପରୀକ୍ଷା ଓ ସେପ୍ଟେମ୍ବର ୧୩ ତାରିଖ ଦିନ ନିଟ୍‌ ପରୀକ୍ଷା କରିବା ପାଇଁ ଜାତୀୟ ପରୀକ୍ଷା ଏଜେନ୍‌ସି ଦିନ ଧାର୍ଯ୍ୟ କରିଛି।

ଏହାକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଓ କର୍ମଚାରୀମାନେ ଯେପରି ବିନା ବାଧାରେ ରାଜ୍ୟର ୮ଟି ଜିଲ୍ଲାରେ ହୋଇଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସହଜରେ ପହଞ୍ଚିପାରିବେ ଏବଂ ପରୀକ୍ଷା ପରିଚାଳନା ପାଇଁ ଆବଶ୍ୟକ ଜିନିଷ ଓ କାଗଜପତ୍ର ଯେପରି ସୁରୁଖୁରୁରେ ପହଞ୍ଚିପାରିବ ସେଥିପାଇଁ ରାଜ୍ୟ ସରକାର କରୋନା ଯୋଗୁ ବିଭିନ୍ନ ଜିଲ୍ଲା ଓ ମହାନଗର ଅଞ୍ଚଳରେ ଜାରି ହୋଇଥିବା ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ କଟକଣାକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ପରୀକ୍ଷା ଦେବାକୁ ଆସୁଥିବା ପ୍ରାର୍ଥୀ ଓ କର୍ମଚାରୀମାନେ ଯେପରି ସାମାଜିକ ଦୂରତା ରକ୍ଷା କରିବା ସହିତ ମୁହଁରେ ମାସ୍କ୍‌ ପିନ୍ଧି ଚଳପ୍ରଚଳ କରିବେ ସେଥିପ୍ରତି ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ଏହାସହିତ କୋଭିଡ୍‌-୧୯ ପ୍ରତିହତ ପାଇଁ ଜାରି ହୋଇଥିବା ସମସ୍ତ ପ୍ରକାର ନିୟମ ଅନୁପାଳନ କରିବାକୁ ମଧ୍ୟ କଡ଼ା ନିର୍ଦ୍ଦେଶ ଦିଆଯାଇଛି।