ଆସନ୍ତାକାଲିଠୁ ଭୁବନେଶ୍ୱରର ମାର୍କେଟ ଅଞ୍ଚଳରେ କରୋନା ଟେଷ୍ଟିଂ । ମୋବାଇଲ୍ ଭ୍ୟାନ ପଠାଯାଇ କରାଯିବ ଆଣ୍ଟିଜେନ୍ ଏବଂ ଆରଟିପିସିଆର ଟେଷ୍ଟ । ପ୍ରେସମିଟରେ ସୂଚନା ଦେଲେ ବିଏମସି କମିସନର ।

166

କନକ ବ୍ୟୁରୋ: ଆସନ୍ତାକାଲିଠୁ ଭୁବନେଶ୍ୱରର ମାର୍କେଟ ଅଞ୍ଚଳରେ ବିଏମସି ପକ୍ଷରୁ କରାଯିବ କରୋନା ଟେଷ୍ଟିଂ । ଏନେଇ ଆଜି ପ୍ରେସମିଟ କରି ସୂଚନା ଦେଇଛନ୍ତି ବିଏମସି କମିସନର । ତାଙ୍କ କହିବା ମୁତାବକ, ସଂକ୍ରମଣରେ ବ୍ରେକ୍ ଦେବା ପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲିଠୁ ଏଥିପାଇଁ ବଜାର ଅଞ୍ଚଳରେ ମୋବାଇଲ୍ ଭ୍ୟାନ ପଠାଯାଇ ଲୋକଙ୍କ ଆରଟିପିସିଆର ଏବଂ ଆଣ୍ଟିଜେନ୍ ଟେଷ୍ଟ କରାଯିବ । ଏହି ସାମୁହିକ ଟେଷ୍ଟିଂ ଅଭିଯାନରେ ସମସ୍ତେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି ।

ଅନ୍ୟପଟରେ ରାଜଧାନୀରେ ଏବେ ସଂକ୍ରମଣ କମିବାରେ ଲାଗିଛି । ଦୈନିକ ସଂକ୍ରମଣ ଏବେ ଭୁବନେଶ୍ୱରରେ ତଳମୁହାଁ ଅଛି । ତେଣୁ ସମସ୍ତେ ସରକାରଙ୍କ ସଟଡାଉନ୍ ଏବଂ ଲକଡାଉନ୍ ନିୟମ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି । ତା ବାଦ୍ ଟିକାକରଣକୁ ନେଇ ମଧ୍ୟ ବିଏମସି କମିଶନର ସମସ୍ତଙ୍କୁ ଆଶ୍ୱସ୍ତ କରିଛନ୍ତି । ଭୁବନେଶ୍ୱରବାସୀଙ୍କୁ ସଠିକ୍ ସମୟରେ ଦ୍ୱିତୀୟ ଡୋଜ ଟିକା ଯୋଗାଇ ଦିଆଯିବ । ତା ସହ ନୂଆ ଲୋକମାନେ ମଧ୍ୟ ସ୍ଲଟ୍ ବୁକ୍ କରି ନିଜର ଟିକା ନେଇପାରିବେ ବୋଲି ସେ କହିଛନ୍ତି ।

ତା ସହ ଏଣିକି ଭୁବନେଶ୍ୱରରେ ବୁକ୍ କଲେ ମିଳିବ ଅକ୍ସିଜେନ୍ କନସନଟ୍ରେଟର । ଏନେଇ ବହୁଦିନରୁ ବିଭିନ୍ନ ମହଲରେ ଦାବି ପରେ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଆପଣାଯାଇଛି । ସରକାର ବିଏମସିକୁ ୧୦୦ ଅକ୍ସିଜେନ୍ କନସନଟ୍ରେଟର ଯୋଗାଇ ଦେଇଛନ୍ତି । ତେଣୁ ଏଣିକି ଭୁବନେଶ୍ୱରବାସୀ ଆପ୍ ମାଧ୍ୟରେ ବୁକ କରି ଅକ୍ସିଜେନ କନସନଟ୍ରେଟର ପାଇପାରିବେ । ଏହାକୁ କିପରି ବ୍ୟବହାର କରାଯିବ ସେନେଇ ମଧ୍ୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଜଣାଇ ଦିଆଯିବ ବୋଲି ବିଏମସି କମିସନର ସୂଚନା ଦେଇଛନ୍ତି ।