ରାଜଧାନୀରେ କରୋନା ଯେପରି ବେକାବୁ ନ ହେବ ସେଥିପାଇଁ ବିଏମ୍ସି ଜୋରଦାର୍ ପ୍ରସ୍ତୁତି ଚଳାଇଛି। କୌଣସି କାର୍ଯ୍ୟକ୍ରମରେ ଯେପରି କେହି ସୁପରସ୍ପ୍ରେଡର ନ ହୁଅନ୍ତି ତା’ପାଇଁ ବି ବିଏମ୍ସି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଲଗାତାର ୬ଦିନ ହେଲା ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଆଜି ଅପରାହ୍ନରେ ଉତ୍କଳ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର ରେଳ ଷ୍ଟେସନ ଓ ବିମାନବନ୍ଦର ବୁଲି ଦେଖିଛନ୍ତି। ସେଠାରେ କରୋନା ମୁକାବିଲା ପାଇଁ ଯାହା ପଦକ୍ଷେପ ନିଆଯାଇଛି ତାହା ପର୍ଯ୍ୟାପ୍ତ କି ନୁହେଁ ତା’ର ସମୀକ୍ଷା କରିଛନ୍ତି। ଏହା ସହ କହିଛନ୍ତି ଯେ, ଗୁରୁବାରଠାରୁ ଜୋନ୍ ସ୍ତରରେ ବିଭିନ୍ନ ହଷ୍ଟେଲରେ କୋଭିଡ୍ ପରୀକ୍ଷା ହେବ। ଏଥିପାଇଁ ସବୁ ଜୋନ୍ରେ ସ୍କ୍ବାଡ୍ ଗଠନ ହୋଇଛି।
କମିସନର ଶ୍ରୀ ଚୌଧରୀ ପ୍ରଥମେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଯାଇଥିବାବେଳେ ସେଠାରେ କୁଳପତି ଓ ବିଭିନ୍ନ ହଷ୍ଟେଲ ସୁପରିନଟେଣ୍ଡେଣ୍ଟଙ୍କ ସହ ଆଲୋଚନା କରିଥିଲେ। ହଷ୍ଟେଲରେ ସମସ୍ତ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା ନେବାକୁ ପରାମର୍ଶ ଦେଇଥିଲେ। ବିଶେଷ କରି ଏପ୍ରିଲ ୩ରେ ହେବାକୁ ଥିବା ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ଥିବାରୁ ଏଥିରେ ଅଂଶଗ୍ରହଣ କରିବାକୁ ଥିବା ଅତିଥି, ପ୍ରାଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ କୋଭିଡ୍ ପରୀକ୍ଷା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ଏହାପରେ ବିଏମ୍ସି କମିସନର ଭୁବନେଶ୍ବର ରେଳ ଷ୍ଟେସନ ଯାଇଥିଲେ। ସେଠାରେ ସ୍ଥିତି ପରଖିବା ସହ ଷ୍ଟେସନ ମ୍ୟାନେଜରଙ୍କ ସହ ଆଲୋଚନା କରିଥିଲେ। ଯେଉଁ ଟ୍ରେନ୍ଗୁଡ଼ିକ ମହାରାଷ୍ଟ୍ର, ପଞ୍ଜାବ, ଗୁଜୁରାଟ, ମଧ୍ୟପ୍ରଦେଶ, କେରଳ, କର୍ଣ୍ଣାଟକ ଆଦି ରାଜ୍ୟରୁ ଆସୁଛି, ସେହି ଟ୍ରେନର ସମସ୍ତ ଯାତ୍ରୀଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯିବ। ଦିନକୁ ପ୍ରାୟ ୨୦୦ଜଣ ଯାତ୍ରୀଙ୍କର ଆଣ୍ଟିଜେନ୍ ଟେଷ୍ଟ ହେବ। ଏଥିରେ ସମସ୍ତ ସନ୍ଦିଗ୍ଧ ଓ ଯେକୌଣସି ଯାତ୍ରୀଙ୍କର ଏହି ପରୀକ୍ଷା କରାଯିବ। ଷ୍ଟେସନରେ ଯଦି କୌଣସି ଯାତ୍ରୀ କୋଭିଡ ପରୀକ୍ଷାକୁ ବିରୋଧ କରନ୍ତି ତେବେ ତାଙ୍କୁ ବୁଝାଯିବ ନଚେତ୍ ବାଧ୍ୟତାମୂଳକ ଭାବେ ପରୀକ୍ଷା କରାଯିବ। ଏଥିପାଇଁ ବିଏମ୍ସି ଟିମ୍ ସହ ୨ ପ୍ଲାଟୁନ୍ ପୁଲିସ ମୁତୟନ ହେବେ। ବିମାନବନ୍ଦର ବାହାରେ ଓ ଭିତରେ କୋଭିଡ ସଚେତନତା ପାଇଁ ହୋର୍ଡିଂ ଲଗାଇବା ସହ ବ୍ୟାପକ ହାତଧୁଆ ବ୍ୟବସ୍ଥା କରିବା ଏବଂ ସମସ୍ତ ଯାତ୍ରୀଙ୍କ ବ୍ୟାଗ୍କୁ ବିଶୋଧନ କରି ଷ୍ଟେସନ ଭିତରକୁ ଛାଡ଼ିବାକୁ କମିସନର କହିଛନ୍ତି।
ଶେଷରେ ବିଏମ୍ସି କମିସନର ଭୁବନେଶ୍ବର ବିମାନବନ୍ଦର ଯାଇଥିଲେ। ଏଠାରେ ବିଏମ୍ସି ପକ୍ଷରୁ ଦୁଇଟି ସର୍ଭେଲାନ୍ସ ଟିମ୍ କାମ କରୁଥିବାବେଳେ ଏହାକୁ ବଢ଼ାଯିବ ବୋଲି କୁହାଯାଇଛି। ଯେଉଁ ଯାତ୍ରୀମାନେ ମହାରାଷ୍ଟ୍ର, ପଞ୍ଜାବ, ଗୁଜୁରାଟ, ମଧ୍ୟପ୍ରଦେଶ, କେରଳ, କର୍ଣ୍ଣାଟକରୁ ଆସିଥିବେ ସେମାନଙ୍କର ଆଣ୍ଟିଜେନ୍ ଟେଷ୍ଟ ହେବ। ଏହାସହ ଅନ୍ୟ ରାଜ୍ୟରୁ ଆସୁଥିବା ସନ୍ଦିଗ୍ଧଙ୍କର ବି କୋଭିଡ ପରୀକ୍ଷା ହେବ। ଯେଉଁମାନେ ନିକଟରେ ଆର୍ଟିପିସିଆର୍ ପରୀକ୍ଷା କରିଥିବେ ସେହି ରିପୋର୍ଟ ଦେଖାଇଲେ ସେମାନଙ୍କର କୋଭିଡ ପରୀକ୍ଷା କରାଯିବନି। ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଆଣ୍ଟିଜେନ୍ ପରୀକ୍ଷା କରାଯାଉଛି ବୋଲି ବିଏମ୍ସି କମିସନର କହିଛନ୍ତି।