କରୋନା : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫,୯୧୪ କରୋନା ନମୁନା ପରୀକ୍ଷା

50

କନକ ବ୍ୟୁରୋ : ବିଗତ କିଛି ଦିନ ହେବ ଓଡ଼ିଶାରେ ଦୈନିକ କରୋନା ନମୁନା ପରୀକ୍ଷା ସଂଖ୍ୟା ୫୦ ହଜାରରୁ କମ୍ ରହୁଥିବା ଦେଖାଯାଉଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫,୯୧୪ କରୋନା ନମୁନା ପରୀକ୍ଷା କରାଯାଇଛି। ଏଥି ମଧ୍ୟରୁ ୯,୩୨୭ଟି ଆରଟି-ପିସିଆର, ୩୬,୫୦୨ଟି ଆଣ୍ଟିଜେନ ଓ ୮୫ଟି ଟ୍ରୁନଟ୍‌ ନମୁନା ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୭୨୪ କରୋନା ନମୁନା ପରୀକ୍ଷା କରାଯାଇଛି। ଏହାଛଡ଼ା ମୟୂରଭଞ୍ଜ ଜିଲ୍ଲାରେ ୩୫୦୩, କେନ୍ଦ୍ରାପଡ଼ା ଜିଲ୍ଲାରେ ୨୭୨୯ ଓ କେନ୍ଦୁଝର ଜିଲ୍ଲାରେ ୧୬୨୫କରୋନା ନମୁନା ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି।

ପୂର୍ବ ଦିନ ଅର୍ଥାତ୍ ଗୁରୁବାର ଦିନ ୪୫,୧୬୯ କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏଥି ମଧ୍ୟରୁ ୮,୫୬୮ଟି ଆରଟି-ପିସିଆର, ୩୯,୨୧୯ଟି ଆଣ୍ଟିଜେନ ଓ ୮୨ଟି ଟ୍ରୁନଟ୍‌ ନମୁନା ଅନ୍ତର୍ଭୁକ୍ତ ଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଧିକ ପରୀକ୍ଷଣ ହେଉଛି କରୋନା ବିରୋଧୀ ଲଢେଇର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପ୍ରତ୍ୟେକ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ଓ ସେମାନଙ୍କୁ ସଙ୍ଗରୋଧ କରିବା ହେଉଛି କୋଭିଡ୍‌ ନମୁନା ପରୀକ୍ଷାର ଲକ୍ଷ୍ୟ। କିନ୍ତୁ ପରୀକ୍ଷା କମୁଥିବାରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମୁଥିବା କୁହାଯାଉଛି ।