କରୋନା ମୁକାବିଲା ପାଇଁ ଦିଲ୍ଲୀରୁ ଓଡିଶା ଆସିଲା ଚିକିତ୍ସା ସାମଗ୍ରୀ: ଏୟାର-ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ପହଞ୍ଚିଲା ଟେଷ୍ଟିଂ କିଟ୍

ଓଏସଏମସି ଓ ଆରଏମଆରସିରେ ପହଞ୍ଚିଲା କରୋନା ଟେଷ୍ଟିଂ କିଟ୍ ଓ ଚିକିତ୍ସା ସାମଗ୍ରୀ

1,214

କନକ ବ୍ୟୁରୋ: କରୋନା ସଂକ୍ରମଣର ମୁକାବିଲା ପାଇଁ ଦିଲ୍ଲୀରୁ ଆସିଲା ଚିକିତ୍ସା ଉପକରଣ । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ କରୋନାର ଟେଷ୍ଟିଂ କିଟ୍, ଲାଇଫ କିଟ୍ ସହ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ଆସିଛି । ବିମାନ ବନ୍ଦରରୁ ସେସବୁ ସାମଗ୍ରୀକୁ ଓଏସଏମସି ଓ ଆରଏମଆରସିକୁ ହସ୍ତାନ୍ତର କରାଯାଇଛି । ଗତକାଲି ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ଧରି ଏୟାର ଇଣ୍ଡିଆର ଏଆଇ-ୱାନ-ଫୋର-ସେଭେନ-ଥ୍ରୀ ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲା ।

ଏପଟେ, ଏପିଡେମିକ୍ ଡିଜିଜ୍ ଆକ୍ଟରେ ସଂଶୋଧନ ଆଣି ଅଧ୍ୟାଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ସରକାର ଏନେଇ ଗେଜେଟ୍ ନୋଟିଫିକେସନ୍ ପ୍ରକାଶ କରିଛନ୍ତି । କରୋନା ମୁକାବିଲାକୁ ଜୋରଦାର କରିବା ପାଇଁ ଏହି ସଂଶୋଧନ କରିଛନ୍ତି ସରକାର । ବିଧାନସଭା ଅଧିବେଶନ ଚାଲି ନଥିବାରୁ ଏହି ଅଧ୍ୟାଦେଶ ଜାରି କରିଛନ୍ତି ରାଜ୍ୟପାଳ । ମହାମାରୀର ମୁକାବିଲା ପାଇଁ ସାମଗ୍ରୀ, ସେବା ଓ ଆବଶ୍ୟକ ଉପକରଣ ସଂଗ୍ରହ କରିପାରିବାକୁ ସହଜ କରିବା ପାଇଁ ଏହି ଅଧ୍ୟାଦେଶ ଆଣିଛନ୍ତି ସରକାର । ଏଥିରେ ପ୍ରତିବନ୍ଧକ ସୃଷ୍ଟି କଲେ ବା ଏହି ଆଇନକୁ ଅମାନ୍ୟ କଲେ ଦଣ୍ଡବିଧାନ ବ୍ୟବସ୍ଥା ହୋଇଛି । ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ କିମ୍ବା ୧୦ ହଜାର ଟଙ୍କା ଜୋରିମାନା କରାଯାଇପାରିବ । ଏପରିକି ଆବଶ୍ୟକ ସ୍ଥଳେ ଉଭୟ ଜେଲ ଓ ଜୋରିମାନା ଆଦାୟ କରାଯିବ ।

ସେହିପରି କରୋନା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟର ସମସ୍ତ ସାଂସଦଙ୍କ ୨ବର୍ଷର ଏମପି ଲ୍ୟାଡ ଫଣ୍ଡକୁ କେନ୍ଦ୍ର ସରକାର ନିଜ ଅଧିନକୁ ନେଇଛନ୍ତି । ତେବେ ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି, ସାଂସଦମାନଙ୍କ ୨ବର୍ଷର ସାଂସଦ ପାଣ୍ଠି ଟଙ୍କାକୁ ରାଜ୍ୟ ସରକାରଙ୍କୁ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଉ । ଯାହା ଫଳରେ ରାଜ୍ୟ ସରକାରଙ୍କ ପାଖରେ ମୋଟା ଅଙ୍କର ଟଙ୍କା ରହିବ । କରୋନା ମୁକାବିଲା କ୍ଷେତ୍ରରେ ଏହି ଅର୍ଥ ରାଶି ସହାୟକ ହେବ ବୋଲି କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର ।