ବିଧାନସଭା ଆରମ୍ଭ ହେବା ପୂର୍ବରୁ ମନ୍ତ୍ରୀ , ବିଧାୟକ, କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କର ଚାଲିଛି କରୋନା ଟେଷ୍ଟ୍ । ୭ ଟିମ ୩ ଦିନ ଧରି କରିବେ ଟେଷ୍ଟ୍

43

କନକ ବ୍ୟୁରୋ : ଅଧିବେଶନ ଆଗରୁ ବିଧାନସଭା ପରିସରରେ କରୋନା ଟେଷ୍ଟ । ବିଧାନସଭା ପରିସରରେ ଆରମ୍ଭ ହୋଇଛି କରୋନା ପରୀକ୍ଷା । ଏହି ପରୀକ୍ଷାରେ ସମସ୍ତ ମନ୍ତ୍ରୀ ବିଧାୟକ, କର୍ମଚାରୀ ଓ ସୁରକ୍ଷାକର୍ମୀ ସାମିଲ ହୋଇଛନ୍ତି । ଏହି ପରୀକ୍ଷା ୩ ଦିନ ଧରି ଚାଲିବ । ଗତକାଲି ୪ ଶହ, ଆଜି ୩୦୦ ଏବଂ ସୋମବାର ଅଢେଇ ଶହ ଲୋକଙ୍କର ପରୀକ୍ଷା କରାଯିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ । ପରୀକ୍ଷା କରିବାକୁ ୭ଟି ଟିମ୍ ଗଠନ ହୋଇଛି ।

ଏହି ଟିମ୍ ଆଜି ଓ ଆସନ୍ତାକାଲି ଗୋଟିଏ ବେଳା ନମୂନ ସଂଗ୍ରହ କରିବେ । କିନ୍ତୁ ଗତକାଲି ଦୁଇ ବେଳା ନମୂନା ସଂଗ୍ରହ କରିଥିଲେ । ସମସ୍ତ ନମୂନା ରାପିଡି ଆଂଟିଜେନ୍ ଟେଷ୍ଟିଂ କରାଯିବ । ସୋମବାର ବିଧାନସଭା ପରିସରକୁ ବିଶୋଧନ କରାଯିବ । ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ଏହି ସମୟରେ କାହାର ଜରୁରୀ ଟେଷ୍ଟିଂ ଆବଶ୍ୟକ ହେଲେ ସେ କରାଇପାରିବେ । ଆରଟିପିସିଆର ଟେଷ୍ଟିଂ କରାଇ ସଙ୍ଗେ ସଙ୍ଗେ ତାଙ୍କୁ ସେହିଠାରେ ରିପୋର୍ଟ ଦିଆଯିବ ବୋଲି କୁହାଯାଇଛି । ସେହିପରି ବିଧାନସଭା ଚାଲିବାର ୫ ଦିନ ପରେ ସମସ୍ତଙ୍କର ମଧ୍ୟ ପୁଣି ଥରେ ଆରଟିପିସିଆର ଟେଷ୍ଟ ହେବ ।