ଚୀନରେ ପୁଣି କରୋନା ଆତଙ୍କ । ଡେଲଟା ଭୂତାଣୁରେ ବଢିବାରେ ଲାଗିଛି ସଂକ୍ରମଣ ।

122

କନକ ବ୍ୟୁରୋ: ଚୀନରେ ଡେଲ୍ଟା ଆତଙ୍କ । କରୋନା ଭୂତାଣୁକୁ ନେଇ ଏବେ ଚୀନରେ ପୁଣିଥରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । କରୋନା ଭୂତାଣୁର ଡେଲ୍ଟା ଭାରିଆଣ୍ଟ ଚୀନର ଉତ୍ତର-ପୂର୍ବ ରାଜ୍ୟରେ ବ୍ୟାପିବାରେ ଲାଗିଛି । ବିଶେଷ କରି ମଙ୍ଗୋଲିଆରେ ସଂକ୍ରମଣ ଦ୍ରୁତ ବେଗରେ ବଢୁଥିବା ଦେଖିବାକୁ ମିଳିଛି । ଫଳରେ ପ୍ରଶାସନ ପକ୍ଷରୁ ଲକଡାଉନ୍ କଟକଣାକୁ ପୁଣିଥରେ ଜାରି କରାଯାଇଛି ।

ଚୀନର ମଙ୍ଗୋଲିଆରେ କରୋନାର ଡେଲଟା ଭୂତାଣୁ ପ୍ରକୋପ ଦେଖିବାକୁ ମିଳୁଛି । ଯାହାକୁ ନେଇ ସମ୍ପୂର୍ଣ୍ଣ ମଙ୍ଗୋଲିଆକୁ ବନ୍ଦ କରାଯାଇଛି । କେବଳ ମଙ୍ଗୋଲିଆ ନୁହେଁ ଉତ୍ତର-ପୂର୍ବ ଚୀନର ଏକାଧିକ ପ୍ରୋଭିନ୍ସରେ କରୋନା ଆତଙ୍କ ଦେଖିବାକୁ ମିଳିଛି । ଫଳରେ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି ।

  • ମଙ୍ଗୋଲିଆର ଇଜିନରେ ଲକଡାଉନ୍ କରାଯାଇଛି
  • ସୋମବାର ଠାରୁ ୩୫,୭୦୦ ବାସିନ୍ଦାଙ୍କୁ ଘରେ ରହିବାକୁ କୁହାଯାଇଛି
  • ଲକଡାଉନ୍ କଟକଣାକୁ ବଳବତ୍ତର କରିବା ପାଇଁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି
  • ଉତ୍ତର-ପୂର୍ବ ଚୀନର ବିଭିନ୍ନ ସ୍ଥାନରେ କୋଭିଟ୍ ପରୀକ୍ଷଣ ବୁଥ ଖୋଲାଯାଇଛି
  • ସପିଂମଲ, ସିନେମା ଥିଏଟର, ମ୍ୟୁଜିଅମ୍, ବାର ଆଦିକୁ ବନ୍ଦ କରାଯାଇଛି
  • କିଣ୍ଡରଗାର୍ଡେନ ଏବଂ ମିଡିଲ ସ୍କୁଲକୁ ବନ୍ଦ କରାଯାଇଛି
  • ଯାତ୍ରାକାଳୀନ କଟକଣା ଲାଗୁ ହୋଇଛି
  • ଦୂର ଯାତ୍ରା କରୁଥିବା ବସ୍ଏବଂ ଅନ୍ୟ ସହରକୁ ଯାଉଥିବା ବସ୍ ଯାତ୍ରାକୁ ରଦ୍ଦ କରାଯାଇଛି

ସେପଟେ ରାଜଧାନୀ ବେଜିଂରେ ମଧ୍ୟ ଡେଲଟା ଭୂତାଣୁରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଚିନ୍ତା ବଢିଯାଇଛି । ଜାତୀୟ ସ୍ୱାସ୍ଥ୍ୟ ବିଭାଗ ସାମ୍ବାଦିକ ସମ୍ମିଳନୀ କରି କୋଭିଡ୍ କଟକଣା ପାଳନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି । ଏହାସହ ବେଜିଂରୁ ଉତ୍ତର ପୂର୍ବରୁ ରାଜ୍ୟ ଗୁଡିକୁ ବିମାନ ଚଳାଚଳ ବନ୍ଦ କରାଯାଇଛି ।