ପୁଣି ଖବରକୁ ଫେରିଲା ଚୀନର ଉହାନ । କରୋନା ଭୂତାଣୁ ସହ ମେଳ ଖାଉଥିବା ଆଉ ଏକ ଭୂତାଣୁରେ ସଂକ୍ରମଣ ହେବାର ଆସିଲା ଖବର : ସହରର ୧କୋଟି ୧୦ ଲକ୍ଷ ଲୋକଙ୍କ କରୋନା ପରୀକ୍ଷଣ ପାଇଁ ଚୀନର ନିଷ୍ପତି

1,409

କନକ ବ୍ୟୁରୋ : ଉହାନରେ ପୁଣି ମୁଣ୍ଡ ଟେକିଲା କରୋନା ଭୂତାଣୁ । ଚୀନ୍ ର ଉହାନ ସହରରୁ ବାହାରିଥିବା ମାରାତ୍ମକ କରୋନା ଭୂତାଣୁ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ସାରିଛି । ମାତ୍ର ଉହାନରେ କରୋନା ଭୂତାଣୁ ସଂକ୍ରମଣ ଏକ ପ୍ରକାର ଶେଷ ହୋଇଥିବା ଚୀନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ହେଲେ ଏବେ ଉହାନରେ ପୁଣିଥରେ କରୋନା ଭୂତାଣୁ ସକ୍ରିୟ ହେଉଥିବା ଖବର ସାମ୍ନାକୁ ଆସିଛି । ପୁଣିଥରେ କରୋନା ଭୂତାଣୁ ଉହାନ ସହରକୁ ଫେରିଥିବା ସନ୍ଦେହରେ ଚୀନ ସରକାର ପୁଣିଥରେ କୋଭିଡ୍-୧୯ ପରୀକ୍ଷଣ କରିବାର ନିଷ୍ପତି ନେଇଛନ୍ତି । ଉହାନ ସହରର ୧ କୋଟି ୧୦ ଲକ୍ଷ ନାଗରିକଙ୍କ କରୋନା ପରୀକ୍ଷଣ କରିବାକୁ ଚୀନ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ପରୀକ୍ଷଣରେ ନ୍ୟୁକ୍ଲିଅର ଏସିଡ୍ ଟେଷ୍ଟ କରାଯିବ । ଉହାନ ସମସ୍ତ ନାଗରୀକଙ୍କ ଏହି ପରୀକ୍ଷ କରାଯିବ ବୋଲି ଚୀନ ଗଣମାଧ୍ୟମରେ ପ୍ରକାଶ ପାଇଛି । କରୋନା ଭୂତାଣୁ ସହ ମେଳ ଖାଉଥିବା ଏକ ନୂଆ ଭାଇରସ ସଂକ୍ରମଣର ରିପୋର୍ଟ ଗତ ସପ୍ତାହରେ ଉହାନରେ ଚିହ୍ନଟ ହେବା ପରେ ଚୀନ ସରକାର ଏହାର ମୁକାବିଲା ପାଇଁ ତତ୍ପର ହୋଇ ଉଠିଛି । ସମସ୍ତ ଉହାନ ନାଗରିକଙ୍କ ପରୀକ୍ଷଣ ପରେ ଯେଉଁମାନଙ୍କ ଠାରେ ଏହି ନୂଆ କୋଭିଡ୍-୧୯ ଭୂତାଣୁ ଚିହ୍ନଟ ହେବ ସେମାନଙ୍କ ପାଇଁ ୧୦ ଦିନିଆ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଏକ ଯୋଜନା ଚୀନ ସରକାର ଦ୍ୱାରା ପ୍ରସ୍ତୁତ କରାଯାଇଛି ।