ବାତ୍ୟା ବିପଦ ଟଳିଯିବା ପରେ କରୋନା ସଂକ୍ରମଣ ରୋକିବାକୁ ପ୍ରୟାସ । ବାତ୍ୟା ଆଶ୍ରୟସ୍ଥଳରୁ ଫେରିଥିବା ଲୋକଙ୍କ ଉପରେ ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗର ଚିଠି 

123

କନକ ବ୍ୟୁରୋ: ବାତ୍ୟା ମୁହଁରୁ ତଳିଆ ଅଂଚଳର ଲୋକଙ୍କୁ ବଂଚାଇବା ପାଇଁ ପ୍ରାୟ ୭ ଲକ୍ଷ ଲୋକଙ୍କୁ ଯୁଦ୍ଧକାଳୀନ ଭିତିରେ ସ୍ଥାନାନ୍ତର କରିଥିଲା ପ୍ରଶାସନ । କରୋନା କାଳରେ ବାତ୍ୟା ବିତ୍ପତି ପ୍ରଶାସନକୁ ଚିନ୍ତାରେ ପକାଇଥିଲା । ଗୋଟିଏ ପଟେ ସାମାଜିକ ଦୂରତା ଭଳି କରୋନା ନିୟମ କଡ଼ାକଡ଼ି ପାଳନ କରିବା, ଅନ୍ୟପଟେ ବାତ୍ୟାରେ ନୋ’ କାଜୁଆଲିଟିର ଲକ୍ଷ୍ୟ, ଏହାରି ଭିତରେ ଛନ୍ଦି ହୋଇଥିଲେ ସରକାର । ବାତ୍ୟା ଛାଡିଯିବା ପରେ ଏବେ କରୋନା ଭୟ ଘାରିଛି ।

ଜିଲ୍ଲାପାଳଙ୍କୁ ଚିଠି ଲେଖି ସାଇକ୍ଲୋନ୍ ସେଂଟରରୁ ଫେରିଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ କହିଛନ୍ତି ମୁଖ୍ୟଶାସନ ସଚିବ । ଏପରିକି ଉଦ୍ଧାର ଓ ମରାମତି କାର୍ଯ୍ୟରେ ନିଯୁକ୍ତ ଥିବା କର୍ମଚାରୀଙ୍କ ଉପରେ ଦୃଷ୍ଟି ରଖିବାକୁ କୁହାଯାଇଛି । ଯଦି କୌଣସି ବ୍ୟକ୍ତିଙ୍କ ଠାରେ କରୋନା ଲକ୍ଷଣ ଥାଏ, ତେବେ ସଙ୍ଗରୋଧରେ ରଖି କରୋନା ପରୀକ୍ଷା କରିବାକୁ କୁହାଯାଇଛି । ସେପଟେ ବାତ୍ୟା ପ୍ରଭାବିତ ଅଂଚଳରେ ସ୍ଥିତି ସ୍ୱାଭାବିକ ହେଲେ ଡୋର ଟୁ ଡୋର ସର୍ଭେ କରାଯିବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ । ବାତ୍ୟା ଆଶ୍ରୟସ୍ଥଳରୁ ଫେରିଥିବା ଲୋକଙ୍କ ଟିକାକରଣ ଓ ଟେଷ୍ଟିଂ ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

କରୋନାର ଦ୍ୱିତୀୟ ଲହର ଅଧିକ ସଂକ୍ରମକ ହୋଇଥିବାରୁ ସାଇକ୍ଲୋନ୍ ସେଂଟରରେ ରହିଥିବା ଲୋକଙ୍କ ମଧ୍ୟରେ କରୋନା ବ୍ୟାପିବା ସମ୍ଭାବନା ବଢ଼ିଯାଇଛି । ତୁରନ୍ତ ସମସ୍ତଙ୍କର ଆଂଟିଜେନ୍ ଟେଷ୍ଟ କରି ପଦକ୍ଷେପ ନନେଲେ ସ୍ଥିତି ଅଣାୟତ ହେବା ଆଶଙ୍କା ରହିଛି ।

ବାତ୍ୟା ଆଶ୍ରୟ ସ୍ଥଳରୁ ଫେରୁଥିବା ବ୍ୟକ୍ତିଙ୍କର କରୋନା ପରୀକ୍ଷା ଯେତେଶୀଘ୍ର କରାଯିବ, ସଂକ୍ରମଣ ଉପରେ ସେତେଶୀଘ୍ର ଲଗାମ ଲାଗିପାରିବ । ଏଥିରେ ବିଳମ୍ବ ହେଲେ ପୁଣି ଏକ ବଡ଼ ଆହ୍ୱାନ ସାମ୍ନାକୁ ଆସିବ ।