ବାଣ ବଜାର ଉପରେ କରୋନା ମାଡ : ଦୀପାବଳିରେ ଫୁଟିବନି ଫୋଟକା; ହାତବାନ୍ଧି ବସିଛନ୍ତି ବାଣ କାରିଗର

70

କନକ ବ୍ୟୁରୋ : ଓଡ଼ିଶାର ଶିବକାଶୀ ଭାବେ ପରିଚିତ ପଦ୍ମପୁର, ତ୍ରିଲୋଚନପୁର ଅଞ୍ଚଳର ଅଧିକାଂଶ ପରିବାର ଦୀର୍ଘ ୭୦ବର୍ଷରୁ ଅଧିକ ସମୟ ହେଲା ବାଣ ବ୍ୟବସାୟକୁ କୌଳିକ ବୃତ୍ତି ଭାବେ ଗ୍ରହଣ କରି ଆସିଛନ୍ତି । ପ୍ରାୟ ଦୁଇ ହଜାର ପରିବାରର ଏହି ପେସାରେ ସମ୍ପୃକ୍ତି ରହିଛି । ପରିବାରର ସଦସ୍ୟମାନେ ପ୍ରତିବର୍ଷ ଜୁଲାଇ ମାସ ଶେଷ ବେଳକୁ ବିଲବାଡ଼ି କାମ ସରିବା ପରେ ଲୋକମାନେ ମୁଖ୍ୟତଃ ବାଣ ପ୍ରସ୍ତୁତିରେ ଲାଗି ପଡ଼ନ୍ତି l ଏପରିକି ବିବାହିତା ଝିଅମାନେ ବି ଶାଶୂଘରୁ ବାପଘରକୁ ଆସି ବାଣ ତିଆରି କାମରେ ସାହାଯ୍ୟ କରିଥାନ୍ତି । ବାଣ ବିକ୍ରୟ ଅର୍ଥରେ ସେମାନେ ପ୍ରାୟ ୬ମାସ ପାଇଁ ପରିବାର ଖର୍ଚ୍ଚ ତୁଲାଇଥାନ୍ତି । ହେଲେ, ଗତ ୨ ବର୍ଷ ହେବ ସେମାନଙ୍କ ବାଣ ପ୍ରସ୍ତୁତିରେ କୌଣସି ଲାଭ ପାଇପାରୁ ନାହାନ୍ତି । ପୁଲିସ ଚଢ଼ାଉ କରି ପ୍ରସ୍ତୁତ ହୋଇଥିବା ବାଣ ଓ କଞ୍ଚାମାଲକୁ ଜବତ କରିନେବା ଫଳରେ ବାଣ ବ୍ୟବସାୟରେ କ୍ଷତି ଘଟିଛି । ଏବେ ପୁଣି କରୋନା କଟକଣା ଯୋଗୁଁ ବାଣ ବ୍ୟବସାୟ ସମ୍ପୂର୍ଣ ଠପ୍‌ ହୋଇପଡ଼ିଛି । ହଜାର ହଜାର ବାଣ କାରିଗର ହାତ ବାନ୍ଧି ବସିଥିଲାବେଳେ ଅସ୍ଥାୟୀ ବାଣ ବ୍ୟବସାୟୀମାନଙ୍କର ବ୍ୟବସାୟ ଆଗକୁ ବଢ଼ି ପାରୁନି ।

ସୂଚନାଯୋଗ୍ୟ, ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର, ତ୍ରିଲୋଚନପୁର, ମହାଜନପୁର, ଭୟରପୁର ଓ ପୂର୍ବକଛସ୍ଥିତ ନଈକୂଳସାହି ଅଞ୍ଚଳର ଥିବା ବାସିନ୍ଦା ଶତକଡା ୯୦ଭାଗ ପରିବାର ବାଣ ପ୍ରସ୍ତୁତି ଓ ବ୍ୟବସାୟ ଉପରେ ନିର୍ଭର କରିଥାଏ l ସେମାନଙ୍କ ମଧ୍ୟରୁ ମାତ୍ର ୫ ଭାଗ ପରିବାରର ସରକାରୀ ଲାଇସେନ୍ସ ନେଇ ବାଣ ପ୍ରସ୍ତୁତ କରୁଥିବାବେଳେ ଅବଶିଷ୍ଟ ପରିବାର ଲୋକେ ବାଣ ବିକ୍ରୟ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ଏହି ଅଞ୍ଚଳରୁ ପ୍ରସ୍ତୁତ ହୋଇଥିବା ବାଣ ଓଡ଼ିଶାର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ଯାଇ ବିକ୍ରି ହୋଇଥାଏ। ବାଣ ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲକୁ କିଣିବା ପାଇଁ ପୟାତଃ କାରିଗରମାନଙ୍କୁ ଋଣ କରିବାକୁ ପଡ଼ିଥାଏ। ବଜାରରେ ବିକ୍ରି ପରେ ଉପାର୍ଜିତ ଅର୍ଥରେ ଋଣ ପରିଶୋଧ କରାଯାଏ।
ଏଠାରେ ଉଲେଖଯୋଗ୍ୟ, ଏହି ବାଣ ବ୍ୟବସାୟ ୨ ପ୍ରକାର କାର୍ଯ୍ୟରେ ଉପଯୋଗୀ ହୋଇଥାଏ। ପ୍ରଥମତଃ ବିବାହ ବ୍ରତ ଓ ଉତ୍ସବ ଆଦି କାର୍ଯ୍ୟରେ ଉପଯୋଗ ହେଉଥିବାବେଳେ ଦୀପାବଳି ସମୟରେ ଏହାର ଚାହିଦା ଅଧିକ ଥାଏ। ଏବେ କରୋନା ପ୍ରଭାବରେ ପ୍ରଶାସନ କଟକଣା ଲାଗୁ କରିଥିବାବେଳେ ବାଣ ବ୍ୟବସାୟୀଙ୍କୁ ନିଷିଦ୍ଧ କରାଯାଇଛି। ରୋଜଗାର ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ। ବିବାହ ଋତୁ ମୁଖ୍ୟତଃ ବର୍ଷର ଡିସେମ୍ବର ମାସରୁ ଆରମ୍ଭ ହୋଇ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ଚାଲିଥାଏ। କିନ୍ତୁ କରୋନା କଟକଣା ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବାରୁ ବାଣ ବ୍ୟବସାୟୀରେ କ୍ଷତି ବଢ଼ି ଚାଲିଛି । ଏହାର କିଛି ବିକଳ୍ପ ବ୍ୟବସ୍ଥା ବି ନାହିଁ ।

Comments are closed.