ମାୟାନଗରୀରେ ମହାମାରୀ ବ୍ୟାପୁଛି । ମହାରାଷ୍ଟ୍ର ଓ ଦିଲ୍ଲୀରେ ଲକଡାଉନ ଫେରିବା ନେଇ ବଢିଲା ଆଶଙ୍କା, କେଜ୍ରିୱାଲ କହିଲେ, ସ୍ୱାସ୍ଥ୍ୟବସ୍ଥା ବିପର୍ଯ୍ୟସ୍ତ ହେଲେ ଲକଡାଉନ ଏକମାତ୍ର ବିକଳ୍ପ । 

132

କନକ ବ୍ୟୁରୋ : ମହାରାଷ୍ଟ୍ର ଓ ଦିଲ୍ଲୀରେ ପୁଣି ଫେରିବ କି ଲକଡାଉନ? କାରଣ ଦେଶରେ ବଢୁଥିବା ସଂକ୍ରମଣ ଭିତରେ ମହାରାଷ୍ଟ୍ର ଓ ଦିଲ୍ଲୀରେ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ପ୍ରତିଦିନ ଚିହ୍ନଟ ହେଉଛନ୍ତି ରେକର୍ଡ ସଂଖ୍ୟକ ନୂଆ ସଂକ୍ରମିତ । କରୋନା ଭୂତାଣୁର ଏହି ପ୍ରକୋପକୁ ରୋକିବାକୁ ମହାରାଷ୍ଟ୍ର  ଓ ଦିଲ୍ଲୀରେ ନାଇଟ କର୍ଫ୍ୟୁ ଲାଗିଛି । ମହାରାଷ୍ଟ୍ରରେ ସପ୍ତାହନ୍ତ ଲକଡାଉନ ମଧ୍ୟ ଲାଗୁ ହୋଇଛି । ତଥାପି ବେକାବୁ କରୋନା ସଂକ୍ରମଣ ।

ଭାରତରେ ପ୍ରତିଦିନ କରୋନା ସଂକ୍ରମଣ ନୂଆ ନୂଆ ରେକର୍ଡ କରୁଛି । ସାରା ଦେଶରେ ଚିନ୍ତା ବଢାଉଛି ଦ୍ରୁତ ସଂକ୍ରମଣ ।  ଗତ ୮ଦିନରେ ୧୦ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ଲହର ସଂକ୍ରମଣ ବଢିବା ପରଠାରୁ ଏପ୍ରିଲ ୫ତାରିଖରେ ପ୍ରଥମ ଥର ପାଇଁ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଟପିଥିଲା । ଏହାପରେ ଏପ୍ରିଲ ୫ରୁ ଏପ୍ରିଲ ୧୨ ଅର୍ଥାତ ୮ଦିନ ଭିତରେ ୧୦ଲକ୍ଷ ୪୨ହଜାର ୨୦୮ପଜିଟିଭ  ଚିହ୍ନଟ ହୋଇଛନ୍ତି ।

ଦେଶରେ ମହାରାଷ୍ଟ୍ରର ସ୍ଥିତି ସବୁଠୁ ସଙ୍ଗୀନ ରହିଛି । ଗତ ୨୪ଘଣ୍ଟାରେ ୬୩ହଜାର ୨୯୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମଣକୁ ରୋକିବାକୁ ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ଲକଡାଉନ ମଧ୍ୟ ଲାଗୁ ହୋଇଛି । ତଥାପି ବେକାବୁ କରୋନା ସଂକ୍ରମଣ । ଏବେ ଲାଗୁଛି ମହାମାରୀକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ଲକଡାଉନ କେବଳ ଗୋଟିଏ ମାତ୍ର ବିକଳ୍ପ ରହିଛି । ଏହାକୁ ନେଇ ଦୁଇ ଦିନ ହେବ ଚର୍ଚ୍ଚା ଆଲୋଚନା ଚାଲିଛି । ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନେଇ ସଂକେତ ଦେଇଛନ୍ତି । ରବିବାର ହୋଇଥିବା କରୋନା ଟାକ୍ସଫୋର୍ସ ବୈଠକରେ ମଧ୍ୟ ଲକଡାଉନ ନେଇ ପ୍ରସ୍ତାବ ଦିଆଯାଇଛି । କୁହାଯାଉଛି ବୁଧବାର ବସିବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏନେଇ ନିଷ୍ପତି ନିଆଯିବ ।

ସଂକ୍ରମଣ ବଢୁଥିବା ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆ କଟକଣା ଜାରି କରିଛନ୍ତି । ସିନେମା ହଲ୍ ସମେତ ମେଟ୍ରୋ ଓ ବସ୍ ଗୁଡିକରେ ୫୦ପ୍ରତିଶତ କ୍ଷମତା ରଖିବାକୁ କୁହାଯାଇଛି । ସ୍କୁଲ କଲେଜକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ କୌଣସି ପ୍ରକାର ସମାବେଶ ଉପରେ କଟକଣା ଲଗାଯାଇଛି । ସେପଟେ ଗୋଟିଏ ଦିନରେ ୧୦ ହଜାର ୭୭୪ ସଂକ୍ରମିତ ଚିହ୍ନଟ ହେବା ପରେ ପୁଣି ଥରେ ଲକଡାଉନ ଫେରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଦିଲ୍ଲୀରେ ହସ୍ପିଟାଲରେ ବେଡ ନମିଳିବା ଖବର ଆସିବା ପରେ ଲକଡାଉନ ଆଶଙ୍କା ବଢ଼ି ଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ମଧ୍ୟ ଲକଡାଉନ ନେଇ ସଂକେତ ଦେଇଛନ୍ତି ।

ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନାର ବଢୁଥିବା ସଂକ୍ରମଣ ଭୟ ବଢାଇଛି । ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଫଳରେ ସଂକ୍ରମଣ ରୋକିବାକୁ ମହାରାଷ୍ଟ୍ର ସରକାର ଓ ଦିଲ୍ଲୀ ସରକାର ପୁଣି ଥରେ ଲକଡାଉନ ଲାଗୁ କରିବା ନେଇ ଆଶଙ୍କା ବଢିଛି ।