କରୋନା ବଦଳାଇଦେଲା ବୃତ୍ତି: କଳାକାରରୁ କରିଦେଲା ବୁଲାବିକାଳି,ବଡଦାଣ୍ଡରେ ବୁଲିବୁଲି ସିନ୍ଦୁର ବିକୁଛନ୍ତି ସନନ୍ଦ

156

କନକ ବ୍ୟୁରୋ: କାଳର ଜିଦ୍ ଆଗରେ କାହାର କିଛି ଚାଲେନା । ଭଳ,ମନ୍ଦ, ସୁଖ ସରାଗ, ମାନ ,ସମ୍ମାନ ସବୁକୁ ଫୁ କରି ଏକମୁହାଁ କରି ଘୋଷାଡି ନିଏ ତା ବାଟରେ । ଏକଥା ବୁଝିବାକୁ ଅବୁଝା ମଣିଷ କିନ୍ତୁ ଅସମର୍ଥ । ସମ୍ମାନ, ପ୍ରଶଂସା ସବୁକିଛିକୁ ମାଡି ମକଚି ଅଣନିଃଶ୍ୱସୀ କରିପକାଏ ଜିଦଖୋର ସମୟ । ଶେଷରେ ଅସହାୟ ହୋଇ ଜଗତର କର୍ତ୍ତାଙ୍କ ପାଖରେ ନିଜକୁ ସମର୍ପି ଦିଏ ଅସହାୟ ମଣିଷ । ଅଶାନ୍ତ ସଂସାର ସାଗରରେ ଜୀବନ ନୌକାକୁ ବାଟେଇ ନେବାକୁ ନିବେଦନ କରେ । । ଦରଦି କଣ୍ଠରେ କାଳିଆ ସାଆନ୍ତଙ୍କ ପାଖରେ ଏମିତି ନିଜ ଦୁଃଖ ଜଣାଇଛନ୍ତି ଯାଜପୁର ଜିଲ୍ଲା ମର୍ଯାଦାପୁରବାସୀ ସୁନ୍ଦ ତରାଇ । ନିଜ କଳାକୁ ନେଇ ଯିଏ ଦିନେ ସମ୍ମାନ ସାଉଁଟୁଥିଲେ କରୋନା କରାଳ ସ୍ରୋତରେ ସେ ପାଲଟିଛନ୍ତି ବଡଦାଣ୍ଡର ବୁଲା ବିକାଳି ।

ଦିନ ଥିଲା ସୁନନ୍ଦ ଥିଲେ ଅକାଶବାଣୀ ଓ ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ ଦାସକାଠିଆ କଳାକାର । ୧୨ ବର୍ଷରୁ ଦାସକାଠିଆ ପରି ପାରମ୍ପରିକ ଲୋକଗୀତର ମୋହରେ ପଡିଥିବା ସୁନନ୍ଦ ଗଣମାଧ୍ୟମରେ ଦାସକାଠିଆ ଗୀତରେ କରୋନା ବିଷୟରେ ସଚେତନ କରିଥିଲେ । ସବୁ ଜିଲ୍ଲାକୁ ଯାଇ ଦାସକାଠିଆ ମାଧ୍ୟମରେ ପୌରାଣିକ ଓ ଆଧୁନିକ ବିଷୟ ଉପସ୍ଥାପନ କରି ପାଇଛନ୍ତି ଅନେକ ପ୍ରଶଂସା, ଓ ସମ୍ମାନପତ୍ର । ହେଲେ ଆଜି ସେସବୁର ମାନେ କିଛି ନାହିଁ । କରୋନାରେ ସବୁଆଡେ ଲକଡାଉନ ହୋଇଯିବା ପରେ ନିଜ ବୃତ୍ତି ବଦଳାଇବାକୁ ବାଧ୍ୟ ହୋଇଛନ୍ତି ସୁନନ୍ଦ । ୬ ପ୍ରାଣୀ କୁଟୁମ୍ବ ପୋଷିବାକୁ ଏବେ ଭରସା କରିଛନ୍ତି ବଡଠାକୁରଙ୍କ ବଡଦାଣ୍ଡକୁ । ବୁଲିବୁଲି ବିକୁଛନ୍ତି ସିନ୍ଦୁର । ଏକଥା କହିବା ବେଳକୁ କଣ୍ଠ ତାଙ୍କ ରୁଦ୍ଧ ହୋଇଯାଉଛି ।

ବଦଳିଯାଇଥିବା ଏହି ବୃତ୍ତିକୁ ବଡଠାକୁରଙ୍କ ଏକ ଆଶୀର୍ବାଦ ଭାବି ଆଗେଇ ଚାଲିଛନ୍ତି ସୁନନ୍ଦ । କେବଳ ସୁନନ୍ଦ ନୁହଁନ୍ତି କରୋନା ଯୋଗୁଁ ନିଜ ଜୀବିକା ହରାଇଥିବା ଅନ୍ୟ କଳାକାରଙ୍କ ପାଇଁ ସରକାର କିଛି ଯୋଜନା କଲେ ସେମାନଙ୍କ ଜୀବନରେ ପୁଣିଥରେ ଆଶା ସଂଚାର ହୋଇପାରନ୍ତା ।