କରୋନାକୁ ନେଇ ବିଶେଷଜ୍ଞଙ୍କ ଆକଳନ । ଓଡିଶାରେ ମେ ମାସରେ ଶୀର୍ଷ ଛଇଁପାରେ କରୋନା, ନିହାତି ଆବଶ୍ୟକ ନଥିଲେ ହସ୍ପିଟାଲ ନ ଯିବାକୁ ପରାମର୍ଶ ।

365

କନକ ବ୍ୟୁରୋ :  କରୋନାର ଦ୍ୱିତୀୟ ଲହରର ଶୀର୍ଷ ବା ପିକ ଆସନ୍ତା ମେ ମାସରେ ହୋଇପାରେ ବୋଲି କହିଛନ୍ତି ବିଶେଷଜ୍ଞ । ବିଭିନ୍ନ ମେଡେଲକୁ ଅନୁଧ୍ୟାନ କରି ଏପରି ପୂର୍ବାନୁମାନ କରିଛନ୍ତି ବିଶେଷଜ୍ଞ । ଅନ୍ୟପଟେ  ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଜରୁରୀ ନଥିଲେ ମେଡିକାଲରେ ଭିଡ ନ କରିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି । ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି ଜରୁରୀ ନଥିଲେ ଅସ୍ତ୍ରୋପଚାର କରାଯିବ ନାହିଁ । ଶୀଘ୍ର ଡାକ୍ତରଖାନା ପାଇଁ ଏକ ଗାଇଡଲାଇନ ଜାରି କରାଯିବ ।

ମେ’ ମାସରେ ଶୀର୍ଷ ଛୁଇଁପାରେ କରୋନାର ଦ୍ୱିତୀୟ ଲହର । ସତର୍କ ରହିବାକୁ ପରାମର୍ଶ ଦେଲେ ବିଶେଷଜ୍ଞ । ୨୪ ଘଣ୍ଟାରେ ରାଜ୍ୟରେ ୧୭ଶହ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୦୪ ଜଣ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ରାଜ୍ୟରେ କରୋନାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ବଢ଼ିବାରେ ଲାଗିଛି କେବେ କରୋନାର ଦ୍ୱିତୀୟ ଲହର ଶୀର୍ଷକୁ ପହଁଚିବ, ଏ ନେଇ ସଠିକ୍ ଆକଳନ କରାଯାଇ ପାରୁନାହିଁ । ତେବେ ମେ’ ମାସରେ ଶୀର୍ଷ ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ଏଭଳି ସ୍ଥିତିରେ ହସପିଟାଲରେ ଭିଡ଼ ନ କରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ନିହାତି ଜରୁରୀ ନଥିଲେ ହସପିଟାଲ ନଆସିବାକୁ ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ ।

ସଂକ୍ରମଣ ବଢୁଥିବାରୁ ମେଡିକାଲ ଭଳି ସ୍ଥାନରେ ଗହଳି କରି ଘରକୁ ସଂକ୍ରମଣ ନେଇ ଯାଆନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଛି । ଅତି ଆବଶ୍ୟକ ନଥିଲେ ଅସ୍ତ୍ରୋପଚାର ଆଦି ସେବା ନଦେବାକୁ ହସପିଟାଲକୁ କୁହାଯାଇଛି । ଓପିଡି ଆସୁଥିବା ରୋଗୀଙ୍କୁ ବାରମ୍ବାର ନଡାକିବା ପାଇଁ ଡାକ୍ତରମାନଙ୍କୁ କୁହାଯାଇଛି । ଟେଲି ମେଡିସିନ୍ ଜରିଆରେ ପରାମର୍ଶ ନେବାକୁ ଲୋକଙ୍କୁ ଅପିଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସେପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ମେଡିକାଲ୍ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ରତି ଜିଲ୍ଲାରେ କଲ୍ ସେଂଟର ଖୋଲାଯାଇଛି । ଅକ୍ସିଜେନ୍, ଭେଂଟିଲେଟର, ଔଷଧର ଆବଶ୍ୟକତା ନେଇ ତର୍ଜମା ଚାଲିଛି ।

ଏପଟେ ଟିକା ଉତ୍ସବର ଦ୍ୱିତୀୟ ଦିନରେ ମଧ୍ୟ ଟିକା ଅଭାବରୁ ୭୦୦ ଟିକାକରଣ କେନ୍ଦ୍ର ବନ୍ଦ ରହିଛି । ୭୭୫ଟି ଟିକା କେନ୍ଦ୍ରରେ ଟିକା ଦିଆଯାଉଛି । ଭୁବନେଶ୍ୱର ସମେତ ରାଜ୍ୟର ୮ଟି ସ୍ଥାନରେ କାର୍ଯ୍ୟସ୍ଥଳରେ ଟିକାକରଣ ଆରମ୍ଭ ହୋଇଛି । ଅନ୍ୟପଟେ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଥିଲେ ପ୍ରବାସୀଙ୍କୁ ରାଜ୍ୟରେ ପ୍ରବେଶ ପାଇଁ ଅନୁମତି ମିଳୁଛି । ଏଥିପାଇଁ ରେଳ ଷ୍ଟେସନ ଓ ବିମାନବନ୍ଦରରେ କଡ଼ାକଡ଼ି ଚେକିଂ କରାଯାଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିମାନବନ୍ଦରରେ ଆରଟିପିସିଆର ରିପୋର୍ଟ ଦେଖାଇଛନ୍ତି । ଏବଂ ସମସ୍ତଙ୍କୁ କୋଭିଡ୍ ନିୟମ ପାଳନ କରିବାକୁ ଟ୍ୱିଟ୍ କରି ଅପିଲ୍ କରିଛନ୍ତି ଧର୍ମେନ୍ଦ୍ର ।