ଚୀନ ପରେ ଦକ୍ଷିଣ କୋରିଆରେ କରୋନା ସ୍ଥିତି ସାଂଘାତିକ । ୩୧୦୦ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା, ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଇଲା ପ୍ରଶାସନ

310

କନକ ବ୍ୟୁରୋ : ଚୀନ୍‌ ପରେ ଏବେ ଦକ୍ଷିଣ କୋରିଆରେ କରୋନା ଭାଇରସ୍‌ ସାଂଘାତିକ ରୂପ ନେଇଛି। ଦକ୍ଷିଣ କୋରିଆର ସବୁ ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ ସେନାକୁ ଦାୟିତ୍ବ ଅର୍ପଣ କରାଯାଇଛି। ଦେଶରେ ୩୧୫୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଭାଇରସ୍‌ ଯୋଗୁଁ ଦକ୍ଷିଣ କୋରିଆରେ ମୃତ୍ୟୁସଂଖ୍ୟା ୧୭ରେ ପହଞ୍ଚିଛି ଏବଂ ସମୁଦାୟ ୨୭ ଜଣ ସାମରିକ ସଦସ୍ୟ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଦେଶ ପାଇଁ ଏବେ ବଡ଼ ସଙ୍କଟର ସମୟ ବୋଲି ଦକ୍ଷିଣ କୋରିଆ କହିଛି। ଭାଇରସ୍‌ ଅତ୍ୟନ୍ତ କ୍ଷୀପ୍ର ଗତିରେ ବ୍ୟାପୁଥିବାରୁ ଦକ୍ଷିଣ କୋରିଆ ଏହାର ନାଗରିକମାନଙ୍କୁ ଘରୁ ବାହାରିବାପାଇଁ ମନା କରିଛି। ଦକ୍ଷିଣ କୋରିଆ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଦେଶ ଏବେ ବହୁତ ବଡ଼ ବିପଦର ମୁକାବିଲା କରୁଛି। ଜନସାଧାରଣ ଘରୁ ବାହାରିଲେ ବିପଦ ଆହୁରି ଭୟାନକ ହେବ ବୋଲି ସେ ଚେତାଇ ଦେଇଛନ୍ତି।

ଲୋକମାନେ ଯଥାସମ୍ଭବ କମ୍‌ ମିଳାମିଶା କରିବା ପାଇଁ ସେ କହିଛନ୍ତି। ମିଳିଥିବା‌ ସୂନଚା ଅନୁଯାୟୀ ଦକ୍ଷିଣ କୋରିଆରେ ଏବେ ୨ ଲକ୍ଷରୁ ଅଧିକ ଲୋକଙ୍କ ଶରୀରରେ ଭାଇରସ୍‌ ପରୀକ୍ଷା କରାଯାଇଛି। ସେ‌ପଟେ ଇରାନ୍‌ରେ କରୋନା ଯୋଗୁଁ ପୁଣି ୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧି ପାଇଛି। ଇରାନ୍‌ରେ ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୯୩ରେ ପହଞ୍ଚିଛି। ଚୀନ୍‌ ବାହାରେ ଇରାନ୍‌ରେ କରୋନା ଯୋଗୁଁ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାରୁ ସରକାର ସମସ୍ତ ସ୍କୁଲ୍‌ ବନ୍ଦ କରିଛନ୍ତି। ଇରାନ୍‌ର ଜଣେ ସାଂସଦ କରୋନାରେ ପ୍ରାଣ ହରାଇଛନ୍ତି।

ଭାଇରସ୍‌ ଯୋଗୁଁ ୨୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୮୫,୦୦୦ରୁ ଅଧିକ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି ଯେ ସମଗ୍ର ବିଶ୍ବ ପାଇଁ ବଡ଼ ଧରଣର ବିପଦ ମାଡ଼ି ଆସୁଛି ଏବଂ ଭାଇରସ୍‌ ଏବେ ଯେକୌଣସି ବି ମୋଡ଼ ନେଇପାରେ। ସାଉଦି ଆରବ ଏବେ ମକ୍କା ଏବଂ ମଦିନାକୁ ଉପସାଗରୀୟ ରାଷ୍ଟ୍ରର ‌ନାଗରିକମାନଙ୍କ ପ୍ରବେଶ ପାଇଁ ଅନୁମତି ଦେଇନି।