କନକ ବ୍ୟୁରୋ : ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି।  ମହାରାଷ୍ଟ୍ର ଦେଶରେ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ହୋଇଥିବା ବେଳେ ଏବେ ଗୁଜରାଟ ଏବଂ ଦିଲ୍ଲୀରେ ସଙ୍କଟ ବଢ଼ିବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଯେଉଁ ୨୭୯ ଲୋକଙ୍କ ମୃତ୍ୟୁ ହୋଇଛି ସେଥିରୁ ୧୨୦ ଜଣ ମହାରାଷ୍ଟ୍ରର ହୋଇଥିବା ବେଳେ ୩୩ ଜଣ ଗୁଜରାଟର ଏବଂ ୩୧ ଜଣ ଦିଲ୍ଲୀର ବୋଲି ଜଣାପଡ଼ିଛି। ଦିଲ୍ଲୀରେ ୯୦୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜରାଟରେ ୧୩୧୩ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏହି ଦୁଇ ରାଜ୍ୟରେ ସଂକ୍ରମଣ ଅତି ଦ୍ରୁତ ଗତିରେ ବଢ଼ୁଥିବାରୁ ଅଧିକ ହସ୍ପିଟାଲ ବେଡ୍‌ ବ୍ୟବସ୍ଥା ପାଇଁ ଯୁଦ୍ଧସ୍ତରରେ ପ୍ରୟାସ ଚାଲିଛି।

Advertisment

ଲକ୍‌ଡାଉନ୍‌ କୋହଳ ହେବାପରେ ଦିଲ୍ଲୀ ଏବଂ ଗୁଜରାଟରେ ସଂକ୍ରମିତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିଛି। ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାରରୁ ଅଧିକ ରହିଛି ଏବଂ ଗୁଜରାଟରେ ୨୧ ହଜାରରୁ ଅଧିକ ଆକ୍ରାନ୍ତ ଅଛନ୍ତି। ଦେଶରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ଅତିକ୍ରମ କରିଯାଇଛି ଏବଂ ଆଜି ସୁଦ୍ଧା ୭୭୪୫ ଲୋକଙ୍କ ମୃତ୍ୟୁ ଘଟିଲାଣି। ଆମେରିକା, ବ୍ରାଜିଲ, ରୁଷ୍‌ ଏବଂ ବ୍ରିଟେନ୍‌ ପରେ ଭାରତ କୋଭିଡ୍‌-୧୯ରେ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ଭାବେ ରହିଥିବା ବେଳେ ଆଉ ମାତ୍ର ୧୧ ହଜାର ମାମଲା ପରେ ଭାରତ ବ୍ରିଟେନ୍‌କୁ ଟପିଯିବ ବୋଲି ଜଣାପଡ଼ିଛି। ତେବେ ଅନ୍ୟ ପ୍ରଭାବିତ ରାଷ୍ଟ୍ରଙ୍କ ତୁଳନାରେ ଭାରତରେ ଆରୋଗ୍ୟ ହାର ସର୍ବାଧିକ ରହିଛି ଏବଂ ଏଠାରେ ୪୮.୯୯ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି।