ଲକ୍ଷଣ ବଦଳାଉଛି କରୋନା । ଥଣ୍ଡା ଜ୍ୱର ହେଲେ ତୁରନ୍ତ କରନ୍ତୁ ଟେଷ୍ଟ ।  

574

କନକ ବ୍ୟୁରୋ : ଲକ୍ଷଣ ବଦଳାଉଛି କରୋନା । କରୋନା ସ୍ଥିତି ଉପରେ ସରକାର ତୀକ୍ଷଣ ନଜର ରଖିଛନ୍ତି । ସ୍ୱାସ୍ଥ୍ୟ ସଚିବ ଆର.କେ ଶର୍ମା କହିଛନ୍ତି, ସଂକ୍ରମଣ ରୋକିବା ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । ସୁନ୍ଦରଗଡ ଓ ବୁର୍ଲାରେ ଛାତଛାତ୍ରୀ ସଂକ୍ରମିତ ହେବା ପରେ କରୋନାକୁ ନେଇ ଆହୁରି ସତର୍କ ହୋଇଛନ୍ତି ରାଜ୍ୟ ସରକାର ।

ସେପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଏବେ ସାମାନ୍ୟ ଥଣ୍ଡା ଜ୍ୱର ହେଲେ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହେଉଛି । ତେଣୁ ଥଣ୍ଡା ଜ୍ୱର ହେବା ମାତ୍ରେ ତୁରନ୍ତ ଟେଷ୍ଟ କରିବାର ଆବଶ୍ୟକତା ରହିଛି । ଟେଷ୍ଟ କଲେ ନିଜେ ସୁରକ୍ଷିତ ରହିବା ସହ ୩୦ଜଣ ସୁରକ୍ଷିତ ରହିପାରିବେ । ତେବେ ସୁନ୍ଦରଗଡ ଓ ବୁର୍ଲାରେ ସଂକ୍ରମଣକୁ ନେଇ ଚିନ୍ତିିତ ହେବାର ଆବଶ୍ୟକତା ନାହିଁ । ୪ରୁ ୫ଦିନ ମଧ୍ୟରେ ସଂକ୍ରମଣ ଆୟତକୁ ଆସିଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଭିମସାର ଓ ସୁନ୍ଦରଗଡରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେ ଜୋନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ରାଜ୍ୟ ସରକାର, ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି । ତେବେ ପଜିଟିଭ ବ୍ୟକ୍ତିଙ୍କ ଠାରେ ସିଭିୟରିଟି କମ ରହିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅପରପକ୍ଷରେ ଏବେ ଲୋକେ କୋଭିଡ ନିୟମ ମାନୁନଥିବାରୁ ଆଗାମୀ ଦିନରେ ବଡ ବିପଦ ଆସିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ତେଣୁ ସଚେତନ ରହିବାର ଆବଶ୍ୟକତା ରହିଛି ।