ସ୍ଥିର ରହିଛି ଓଡ଼ିଶାରେ ସଂକ୍ରମଣ । ଡିଏମଇଟି କହିଲେ, ବିଳମ୍ବରେ ଶୀର୍ଷକୁ ଯାଇଥିବାରୁ ଖସିବା ପାଇଁ ଲାଗିବ ସମୟ ।

192

କନକ ବ୍ୟୁରୋ : ଓଡିଶାର କରୋନା ସଂକ୍ରମଣ ହାର ଆଜି ୧୪ ପ୍ରତିଶତ ରହିଛି । ଅର୍ଥାତ୍ ଶହେ ଜଣଙ୍କୁ ପରୀକ୍ଷା କଲେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସରକାରଙ୍କ ପକ୍ଷରୁ କୁହାଯାଇଛି, ଓଡିଶାରେ ସଂକ୍ରମଣ ଡେରିରେ ଶୀର୍ଷକୁ ଯାଇଥିବାରୁ କମିବା ପାଇଁ ମଧ୍ୟ ସମୟ ଲାଗୁଛି । ସଂକ୍ରମଣ ବଢିବା କିମ୍ବା ଦୁଇ ଗୁଣା ନହେବା, ଏକ ଭଲ ସଂକେତ ବୋଲି କୁହାଯାଉଛି । ତେବେ ଏହା ମଧ୍ୟରେ ଆଜି ସର୍ବାଧିକ ୩୭ ଜଣଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ସାମାନ୍ୟ ବଢିଲା ପଜିଟିଭ ହାର । ରାଜ୍ୟରେ କରୋନା ମୃତ୍ୟୁ ଅଲୋଡା ରେକର୍ଡ । ୨୪ ଘଣ୍ଟାରେ କରୋନାରେ ଆଖି ବୁଜିଲେ ୩୭ଜଣ । ସେହିପରି ରାଜ୍ୟରେ ପୁଣି ୮ ହଜାର ୭୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ପଜିଟିଭ ହାର ୧୪ ଦଶମିକ ୦୨ ପ୍ରତିଶତ ରହିଛି । ଡିଏମଇଟି କହିଛନ୍ତି, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଗୁଣା ହେଉନାହିଁ ଏବଂ ଏହା ତଳମୁହାଁ ରହିଛି ।

ବିଶେଷଜ୍ଞଙ୍କ କହିବା କଥା, ଦିଲ୍ଲୀ ମହାରାଷ୍ଟ୍ର ଭଳି ରାଜ୍ୟ ମାସକ ପୂର୍ବରୁ ପିକ ନେଇଥିବାରୁ ସେଠାରେ ଏବେ ସଂକ୍ରମଣ କମୁଛି । ଆଉ ଆଗକୁ ରାଜ୍ୟରେ ସେହି ଟ୍ରେଣ୍ଡ ଜାରି ରହି କମିବ । ତେବେ କଟକ ଓ ଭୁବନେଶ୍ୱର ଏବେ ବି ଚିନ୍ତାଜନକ ରହିଛି । ଆଗକୁ ଲକଡାଉନକୁ ଆହୁରି କଡାକଡି କରାଯିବା ସହ ଟେଷ୍ଟିଂ ବଢାଇବା ଉପରେ ବରିଷ୍ଠ ଡାକ୍ତର ଗୁରୁତ୍ୱ ଦେଇଛନ୍ତି ।

ସେହିଭଳି ଜୁନ ଆରମ୍ଭରୁ ଦେଶରେ କମିଛି ସଂକ୍ରମଣ, କମିଛି ମୃତ୍ୟୁ ହାର । ଗତ ୨୪ ଘଂଟାରେ ଦେଶରେ ୧ ଲକ୍ଷ ୨୭ ହଜାର ୫୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପ୍ରଥମଥର ୩ ହଜାର ତଳକୁ ଖସିଛି ଦେଶର ମୃତ୍ୟୁ ସଂଖ୍ୟା । ଗୋଟିଏ ଦିନରେ ୨ ହଜାର ୭୯୫ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।