ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୨୦ ହଜାର ୪୭୧ । ଗତ ୨୪ ଘଂଟାରେ ୧୪୮୬ ନୂଆ ମାମଲା ଚିହ୍ନଟ, ୪୯ ଜଣଙ୍କ ମୃତ୍ୟୁ : ସେପଟେ ବିଶ୍ୱରେ ୨୪ ଲକ୍ଷ ୭୫ ହଜାର ୭୨୩ ଜଣ ଆକ୍ରାନ୍ତ ଚିହ୍ନଟ

280

କନକ ବ୍ୟୁରୋ: ଭାରତରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବଢିବାରେ ଲାଗିଛି । ଗତ୨୪ ଘଂଟାରେ ୧୪୮୬ ନୂଆ ମାମଲା ଚିହ୍ନଟ ହୋଇଛି । ସେହିପରି ଗତ୨୪ ଘଂଟାରେ ୪୯ ଜଣଙ୍କ ଜୀବନ କରୋନା ନେଇଥିବା ବେଳେ ୭ଶହ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୪୭୧କୁ ଛୁଇଁଛି । ବର୍ତମାନ ସୁଦ୍ଧା ୩ ହଜାର ୬୯୦ ଜଣ ସୁସ୍ଥ ହୋଇଥିବା ବେଳେ ୬୫୨ ଜଣଙ୍କ ମୃତ୍ୟୁ ହୋଇଛି । ଭାରତରେ ଏବେ ୧୫ ହଜାର ୮୫୯ ଏକ୍ଟିଭ କେସ ରହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଂଟାରେ ମହାରାଷ୍ଟ୍ରରେ ସର୍ବାଧିକ ୫୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜସ୍ଥାନରେ ୨୨୫ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଗୁଜୁରାଟରେ ୨୦୬ ଓ ଉତରପ୍ରଦେଶରେ ୧୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଗତ୨୪ ଘଂଟାରେ । ସେପଟେ ବିଶ୍ୱର ୨୧୩ଟି ଦେଶରେ ସାଂଘାତିକ ରୂପ ନେଉଛି ମହାମାରୀ କରୋନା ଭୁତାଣୁ । ବିଶ୍ୱରେ ମୋଟ ୨୪ ଲକ୍ଷ ୭୫ ହଜାର ୭୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧ଲକ୍ଷ ୬୯ ହଜାର ୧୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।