ଆମେରିକାରେ ଦିନକୁ ଦିନ ସଙ୍ଗୀନ ହେଉଛି କରୋନା ସ୍ଥିତି । ଗୋଟିଏ ଦିନରେ ଚିହ୍ନଟ ହେଲେ ୨ ଲକ୍ଷ ନୂଆ ଆକ୍ରାନ୍ତ, ଏଯାଏଁ ଗଲାଣି ୨ ଲକ୍ଷ ୩୮ ହଜାରରୁ ଅଧିକ ଜୀବନ ।

718

କନକ ବ୍ୟୁରୋ : ଆମେରିକାରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ି ଚାଲିଛି । ସ୍ଥିତି ଏମିତି ହୋଇଛି ଯେ, ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୨ ଲକ୍ଷ ନୂଆ ଆକ୍ରାନ୍ତ । ଜନ୍ ହପକିନସ୍ ୟୁନିଭର୍ସିଟିର ତଥ୍ୟ ଅନୁସାରେ ଆମେରିକାରେ ଗୋଟିଏ ଦିନରେ ୨ ଲକ୍ଷ ୧ ହଜାର ୯୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆମେରିକାରେ ବିଗୁଡ଼ୁଛି କରୋନା ସ୍ଥିତି । ଗୋଟିଏ ଦିନରେ ଚିହ୍ନଟ ହେଲେ ୨ ଲକ୍ଷ ନୂଆ ଆକ୍ରାନ୍ତ । କରୋନାରେ ସବୁଠୁ ଅଧିକ ପ୍ରଭାବିତ ଦେଶ ଆମେରିକାରେ କୋଭିଡ୍ ସ୍ଥିତି ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଛି । ବିଶେଷକରି ଦୈନିକ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି । ଏପରିକି ଗୋଟିଏ ଦିନରେ ନୂଆ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ପହଂଚିଛି ।

ଜନ୍ ହପକିନସ୍ ୟୁନିଭର୍ସିଟିର ତଥ୍ୟ ଅନୁସାରେ ଆମେରିକାରେ ଗୋଟିଏ ଦିନରେ ୨ ଲକ୍ଷ ୧ ହଜାର ୯୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ଆମେରିକାରେ ୧୫୩୫ କରୋନା ଜନିତ ମୃତ୍ୟୁ ଘଟିଛି । ଗୋଟିଏ ସପ୍ତାହ ହେଲା ଆମେରିକାରେ ହାରାହାରି ଦିନକୁ ୧ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ସହ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଶୀର୍ଷରେ ପହଞ୍ଚିଛି

ଗତ କିଛି ସପ୍ତାହ ମୁଖ୍ୟତଃ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ସାରା ବିଶ୍ୱର ନଜର ରହିଥିଲା । ହେଲେ ଏହା ଭିତରେ ଆମେରିକାରେ କରୋନା ସ୍ଥିତି ଯେ କେତେ ସଙ୍ଗୀନ ହେଲାଣି, ଏହି ନୂଆ ତଥ୍ୟ ପ୍ରମାଣ କରୁଛି ।

ବିଶ୍ୱରେ ଆମେରିକା ହିଁ କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଟ୍ରମ୍ପ ପ୍ରଶାସନର କୋଭିଡ୍ ପରିଚାଳନାରେ ବିଫଳତା ଏହାର କାରଣ ବୋଲି ଅନେକ ଅଭିଯୋଗ କରିଆସୁଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟି ଟପିସାରିଛି । ଜନ୍ ହପକିନସ୍ ୟୁନିଭର୍ସିଟିର ତଥ୍ୟ ଅନୁସାରେ ଆମେରିକାରେ ଏବେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧କୋଟି ୨ ଲକ୍ଷ ୩୮ ହଜାର ୨୪୩ରେ ପହଂଚିଛି । କରୋନା ଜନିତ ମୃତ୍ୟ ସଂଖ୍ୟା ମଧ୍ୟ ଆମେରିକାରେ ସବୁଠୁ ଅଧିକ । ଏଠାରେ କରୋନା ଏଯାଏଁ ୨ ଲକ୍ଷ ୩୯ ହଜାରରୁ ଅଧିକ ଜୀବନ ନେଇସାରିଲାଣି ।

କୋଭିଡ୍ ପରିଚାଳନା ନେଇ ଟ୍ରମ୍ପ ପ୍ରଶାସନ ଉପରେ ପୂର୍ବରୁ ମଧ୍ୟ ଅନେକ ପ୍ରଶ୍ନ ଉଠିଛି । ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ନଦେବା, ଲକଡାଉନକୁ କଡ଼ାକଡ଼ି ଲାଗୁ ନକରିବା ପରି ପ୍ରସଙ୍ଗକୁ ନେଇ ଟ୍ରମ୍ପ ପ୍ରଶାସନ ସମାଲୋଚନାର ପାତ୍ର ପାଲଟିଛି ।

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଟ୍ରମ୍ପଙ୍କ କୋଭିଡ୍ ପରିଚାଳନାର ବିଫଳତାକୁ ନିର୍ବାଚନୀ ପ୍ରସଙ୍ଗ କରିଥିଲେ । ତେବେ ଟ୍ରମ୍ପ ପରାଜୟ ମାନିବାକୁ ନାରାଜ ଥିବା ବେଳେ ଏହାକୁ ନେଇ ବିବାଦ ଜାରି ରହିଛି । ଏହାର ପ୍ରଭାବ କୋଭିଡ୍ ସ୍ଥିତି ମୁକାବିଲା ଉପରେ ମଧ୍ୟ ପଡ଼ୁଛି । ତେବେ କୋଭିଡ୍ ସ୍ଥିତିର ମୁକାବିଲା ପାଇଁ ବାଇଡେନ୍ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ।