କରୋନା ମୃତ୍ୟୁରେ ଆମେରିକାର ଅଲୋଡା ରେକର୍ଡ । ଗୋଟିଏ ଦିନରେ ୩ହଜାରରୁ ଅଧିକ ମୃତ, ୨ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ।

748

କନକ ବ୍ୟୁରୋ : କରୋନା ଭୂତାଣୁ ସାମ୍ନାରେ ଅସହାୟ ହୋଇପଡିଛି ସୁପରପାୱାର ଆମେରିକା । ଦେଶରେ କରୋନା ସ୍ଥିତି ବିଗୁଡୁଥିବା ବେଳେ ଆମେରିକା କରିଛି ଅଲୋଡା ରେକର୍ଡ । ଲଗାତର ଭାବେ ଦୁଇ ଦିନ ହେଲା ଭୂତାଣୁ ସଂକ୍ରମଣରେ ୩ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଗୋଟିଏ ଦିନରେ ୨ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ଆମେରିକାରେ ବିଗୁଡ଼ୁଛି କରୋନା ସ୍ଥିତି । ଗୋଟିଏ ଦିନରେ ୩ହଜାରରୁ ଅଧିକ କରୋନା ମୃତ୍ୟୁ । ୯/୧୧ ଆକ୍ରମଣରୁ ଟପିଲା ଦିନକର ମୃତ୍ୟୁ ସଂଖ୍ୟା । କରୋନାରେ ସବୁଠୁ ଅଧିକ ପ୍ରଭାବିତ ଦେଶ ଆମେରିକାରେ କୋଭିଡ୍ ସ୍ଥିତି ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଛି । ବିଶେଷକରି ଦୈନିକ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି । ସେପଟେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟାରେ ବି ଅଲୋଡା ରେକର୍ଡ କରିଛି ଆମେରିକା । ଏପରିକି ୯/୧୧ ଆକ୍ରମଣକୁ ଟପିଯାଇଛି ୨୪ଘଂଟାରେ ହୋଇଥିବା ମୃତ୍ୟୁ ସଂଖ୍ୟା । ଡିସେମ୍ବର ୯ତାରିଖ ଅର୍ଥାତ ଗତ ବୁଧବାର ଦିନ ୨୪ଘଂଟାରେ ସର୍ବାଧିକ ୩ହଜାର ୧୨୪ ଜଣଙ୍କ ଜୀବନ ନେଇଛି କରୋନା ଭୂତାଣୁ । ସେହିପରି ଲଗାତର ଦ୍ୱିତୀୟ ଦିନରେ ଅର୍ଥାତ ଗୁରୁବାର ଦିନ ମଧ୍ୟ ୩ହଜାରରୁ ଅଧିକ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା କରୋନାରେ ସବୁଠୁ ଅଧିକ ରହିଛି ଏହି ମୃତ୍ୟୁ ସଂଖ୍ୟା ।

ବିଶ୍ୱରେ ଆମେରିକା ହିଁ କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଦେଢ କୋଟି ଟପିସାରିଛି । ଜନ୍ ହପକିନସ୍ ୟୁନିଭର୍ସିଟିର ତଥ୍ୟ ଅନୁସାରେ ଆମେରିକାରେ କରୋନା ଭୂତାଣୁ ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୯୨ ହଜାର ୧୭୯ରେ ପହଂଚିଛି । କରୋନା ସଂକ୍ରମଣ ଓ କରୋନା ଜନିତ ମୃତ୍ୟ ସଂଖ୍ୟା ଆମେରିକାରେ ସବୁଠୁ ଅଧିକ ରହିଛି ।

କରୋନା ଭୂତାଣୁ ସଂକ୍ରମଣ ସମ୍ମୁଖରେ ଅସହାୟ ହୋଇପଡିଛି ସୁପରପାୱାର ଆମେରିକା । ମୃତ୍ୟୁ ସଂଖ୍ୟା ସହ ଦିନକୁ ୨ଲକ୍ଷରୁ ଅଧିକ ନୂଆ ସଂକ୍ରମଣ ଚିହ୍ନଟ ହେବା ଆମେରିକାର ଚିନ୍ତାକୁ ଆହୁରି ବଢାଇ ଦେଇଛି । ଆମେରିକାରେ ଏବେ ସୁଦ୍ଧା ସର୍ବାଧିକ ୧କୋଟି ୫୬ ଲକ୍ଷ ୧୬ହଜାର ୩୭୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସବୁଠାରୁ ଚିନ୍ତାଜନକ କଥା ହେଉଛି ପ୍ରତିଦିନ ପ୍ରାୟ ୨ଲକ୍ଷରୁ ଅଧିକ ଲୋକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାସହ ଗତ ୫ଦିନରେ ୧୦ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି ।

ଆମେରିକାରେ ବଢୁଥିବା ସଂକ୍ରମଣ ଭିତରେ ଫାଇଜର ଟିକାକୁ ମିଳିଛି ଅନୁମତି । ଆମେରିକାର ଖାଦ୍ୟ ଓ ଔଷଧ ପ୍ରାଧୀକରଣ ଫାଇଜର ଟିକାର ଜରୁରୀକାଳିନ ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି । ଫାଇଜର ଟିକାକୁ ଆମେରିକାର ଏଫଡିଏର ବିଶେଷଜ୍ଞ କମିଟିର ଗ୍ରୀନ୍ ସିଗନାଲ, କରୋନା ମହାମାରୀ ଉପରେ ରୋକ୍ ଲଗାଇବ ବୋଲି ଆଶା କରାଯାଉଛି ।

ଜର୍ମାନର ଫାର୍ମା କମ୍ପାନୀ ବାୟୋ ଆଣ୍ଡ ଟେକ୍ ନିର୍ମାଣ କରିଥିବା କରୋନା ଟିକା ଫାଇଜରକୁ ବୟସ୍କ ଓ ୧୬ ବର୍ଷରୁ ଅଧିକ ବୟସର କିଶୋରଙ୍କ ଠାରେ ବ୍ୟବହାର ନିରାପଦ ବୋଲି ଏକ୍ସପର୍ଟ କମିଟି କହିଛି । ଆସନ୍ତା ସପ୍ତାହରୁ ଆମେରିକାରେ ଆରମ୍ଭ ହେବ ଫାଇଜର ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ଅଗ୍ରାଧିକାର ଭିତ୍ତିରେ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଟିକା । ଡିସେମ୍ୱର ମାସ ସୁଦ୍ଧା ଆମେରିକାରେ ପ୍ରାୟ ୨୫ ମିଲିୟନ୍ ଟିକାକରଣ କରାଯିବାକୁ ଯୋଜନା ରଖାଯାଇଛି ।