ସଂକ୍ରମଣ ତାଲିକାରେ ସାଲିଆସାହି । ଭୁବନେଶ୍ୱରର ବଡ଼ ବସ୍ତିକୁ ବ୍ୟପିଲା କରୋନା, ଜଣେ ପଜିଟିଭ ଚିହ୍ନଟ ।

967

କନକ ବ୍ୟୁରୋ: ଭୁବନେଶ୍ୱରର ସବୁଠାରୁ ବଡ ବସ୍ତି କୁହାଯାଉଥିବା ସାଲିଆସାହି ବସ୍ତି । ଘରକୁ ଘର ଲାଗିଛି , ହଜାର ହଜାର ଘର ଅଛି । ପ୍ରାୟ ୮୦ ହଜାର ଲୋକ ରହୁଥିବା ଏହି ବସ୍ତିରେ ଶୁକ୍ରବାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉଦବେଗର ବିଷୟ ହେଉଛି ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କର କୌଣସି ଗସ୍ତ ବିବରଣୀ ନାହିଁ ଅର୍ଥାତ ସେ ବାହାରକୁ ଯାଇ ନାହାଁନ୍ତି । ଗୋଟଏ କଥା ହେଉଛି ସେ କେମିତି ସଂକ୍ରମିତ ହେଲେ ତାହା ଜଣାପଡୁନାହିଁ । ଆଉ ଗୋଟିଏ କଥା ହେଉଛି ବସ୍ତିରେ ସଂକ୍ରମଣ ବଢ଼ି ଯାଇପାରେ କି?

ଶୁକ୍ରବାର ଓଡିଶାରେ ୧୩୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସାଲିଆସାହି, ଜଣେ ଡୁମଡୁମା ଅଂଚଳ, ଆଇଗିଣିଆ ଓ ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ଏବଂ ଦୁଇ ଜଣ ୟୁନିଟ୍ -୪ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ସେପଟେ ଶୁକ୍ରବାର ଭୁବନେଶ୍ୱର ଆସିଥିବା କେନ୍ଦ୍ରୀୟ ଟିମ୍ ଓଡିଶା ସରକାରଙ୍କ ସହ ଆଲୋଚନା କରିଛନ୍ତି । ସେମାନେ ମତ ଦେଇଛନ୍ତି , ଓଡିଶାରେ ସ୍ଥିତି ବେଶ୍ ଭଲ ଅଛି ଓ ଏଠାରେ ଗୋଷ୍ଠି ସଂକ୍ରମଣ ହୋଇନାହିଁ ।

ଏଯାଏଁ ଓଡିଶାରେ ୨ହଜାର ୬୦୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧ ହଜାର ୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଖୋର୍ଦ୍ଧାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୮ ଛୁଇଁଛି ।