ହୋଲିରେ ଲାଗିଲା କରୋନା କଟକଣା । କଟକରେ ଏକାଠି ହୋଇ ଖେଳିପାରିବେନି ରଙ୍ଗ । ମେଳଣ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ମନା ।

85

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହର ଭିତରେ ରଙ୍ଗର ପର୍ବ ହୋଲି ସମସ୍ତଙ୍କ ପାଇଁ ବିପଦ ନେଇ ଆସିବନି ତ? ସମସ୍ତେ ମିଶି ହୋଲି ଖେଳିଲେ, କରୋନା ସଂକ୍ରମଣ ବଢିବନି? ସରକାର ଓ ପ୍ରଶାସନ ଏହାକୁ ରୋକିବାକୁ କଣ କରିବା ଉଚିତ୍? ଏଭଳି କିଛି ପ୍ରଶ୍ନ ଭିତରେ ସାମୁହିକ ହୋଲି ପାଳନ ଓ ଦୋଳ ମେଲଣ ଉପରେ କଟକଣା ଲଗାଇଛି କଟକ ପ୍ରଶାସନ । ତେବେ ନଜର ପକାନ୍ତୁ, କିପରି କରୋନା କଟକଣା ଭିତରେ ପାଳନ କରିବେ ପର୍ବ ।

ଦୋଳ ଓ ହୋଲି ପାଳନ କଟକଣା 

  • ମେଲଣ ପଡ଼ିଆରେ ୨୦୦ରୁ ଅଧିକ ଲୋକ ଏକାଠି ହେବେନାହିଁ
  • ଦୋଳ ବିମାନ ଯାତ୍ରା ବେଳେ ୧୦ରୁ ଅଧିକ ଲୋକ ସାମିଲ ହେବେନାହିଁ
  • ଶୋଭାଯାତ୍ରା ହେବନାହିଁ, ଡାକବାଜି ଯନ୍ତ୍ର ବାଜିବ ନାହିଁ
  • ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ
  • ମେଲଣ ପଡ଼ିଆରେ ମୀନାବଜାରକୁ ଅନୁମତି ନାହିଁ
  • ନିଜ ଘର ଭିତରେ ଲୋକେ ପାଳନ କରିବେ ହୋଲି
  • ସାମୁହିକ ହୋଲି ଖେଳ ଉପରେ କଟକଣା
  • ରାସ୍ତା ଓ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ମନା

ଅନ୍ୟପଟେ  ଦୀର୍ଘ ଦିନ ପରେ ରାଜ୍ୟରେ ସଂକ୍ରମଣ ଶହେ ଟପିବା ପରେ ପୁଣି ଥରେ ଚିନ୍ତା ଫେରିଛି ।  ୧୧୦ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସକ୍ରିୟ ମାମଲା ୭୦୫ରେ ପହଁଚିଛି । ୨୨ଟି ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରେ ସବୁଠାରୁ ଅଧିକ ୨୦ ଜଣ, ଖୋର୍ଦ୍ଧାରୁ ୧୫, ନୂଆପଡାରୁ ୯, ସୁନ୍ଦରଗଡରୁ ୭, ଅନୁଗୁଳ ଏବଂ ଗଂଜାମ ଜିଲ୍ଲାରୁ ୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କଟକର ସରସ୍ୱତୀ ବିଜ୍ଞାନ ମହାବିଦ୍ୟାଳୟରୁ ଗତକାଲି ୧୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଉ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଲେଜ ହଷ୍ଟେଲରୁ  ଦୁଇ ଦିନରେ ପ୍ରାୟ ୨୫ ପଜିିଟିଭ୍ ଚିହ୍ନଟ ହେବା ପରେ ସଂକ୍ରମଣକୁ ନେଇ କଟକ ମହାନଗର ନିଗମର ଚିନ୍ତା ବଢିଯାଇଛି । କଟକରେ ଏହି ଘରୋଇ କଲେଜକୁ ୧୦ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି କଲେଜ କର୍ତ୍ତୃପକ୍ଷ । ସମସ୍ତ ପଜିଟିଭଙ୍କୁ ଏବେ କରୋନା ଗାଇଡଲାଇନ ଅନୁସାରେ ହଷ୍ଟେଲରେ ସଂଗରୋଧରେ ରଖାଯାଇଛି ।

ସେହିପରି ଦେଶରେ ମଧ୍ୟ ଭୟ ବଢ଼ାଉଛି କରୋନା । ଆଜି ଦିନକରେ ଦେଶରୁ ୩୯,୭୨୬ ନୂଆ ମାମଲା ଆସିଛି  । ଗତ ୨୪ ଘଂଟାରେ ମହାରାଷ୍ଟ୍ରର ନୂଆ ସଂକ୍ରମଣ ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି । ଫଳରେ ମହାରାଷ୍ଟ୍ର ସରକାର ପୁଣି ଥରେ ସାରା ରାଜ୍ୟରେ କଟକଣା ଲଗାଇଛନ୍ତି । ମହାରାଷ୍ଟ୍ରରେ ମାର୍ଚ୍ଚ ୩୧ ଯାଏଁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ଘରୋଇ ସଂସ୍ଥା । ଏଥିସହ ଅଡିଟୋରିୟମ, ଥିଏଟର ଓ ସିନେମା ହଲରେ ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ମିଳିଛି ।