କନକ ବ୍ୟୁରୋ : ଆପଣଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଦେଲେ ଆପଣ ତୁରନ୍ତ କରୋନା ପରୀକ୍ଷା କରାଉଛନ୍ତି । କିନ୍ତୁ ଏହି ପରୀକ୍ଷାର ରିପୋର୍ଟ ମିଳିବାରେ ସାମାନ୍ୟ ବିଳମ୍ବ ହୋଇଥାଏ । ଏବଂ କରୋନା ପରୀକ୍ଷା କରାଇବା ନିମନ୍ତେ ଆପଣଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ହସ୍ପିଟାଲକୁ ଯିବାକୁ ପଡିଥାଏ ।
ଏଣିକି କିନ୍ତୁ ଆପଣ ଘରେ ବସି ମାତ୍ର ୨୦ ସେକେଣ୍ଡରେ ପାଇପାରିବେ ଆପଣଙ୍କ କରୋନା ରିପୋର୍ଟ । ପ୍ରୟାଗରାଜର ମୋତି ଲାଲ ନେହେରୁ ରାଷ୍ଟ୍ରୀୟ ପ୍ରାଦ୍ୟୋଗିକ ସଂସ୍ଥାନର ବୈଜ୍ଞାନିକ ଖୁବ ଶୀଘ୍ର ପ୍ରସ୍ତୁତ କରିବାକୁ ଯାଉଛନ୍ତି ଏମିତି ଏକ ମେସିନ୍ । ଯେଉଁଥିରେ ଆପଣ ମାତ୍ର ୨୦ ସେକେଣ୍ଡରେ ଜାଣିପାରିବେ ଆପଣ କରୋନା ସଂକ୍ରମିତ ହୋଇଛନ୍ତି କି ନାହିଁ । ଆଉ ଏଥିପାଇଁ ଆପଣଙ୍କୁ ମାତ୍ର ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏବେ ଆସନ୍ତୁ ଜାଣିବା କେମିତି କାମ କରିବ ଏହି ମେସିନ୍ ।
ଏହି ମେସିନ୍ ଏକ୍ସରେ ସ୍କାନ ଦ୍ୱାରା କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରିପାରିବ । ଡିପ୍ ଏକ୍ସ ଡିଭାଇସ ସଫ୍ଟୱେୟାରକୁ ପୋର୍ଟେବଲ୍ ଏକ୍ସ-ରେ ସ୍କାନର ସହ ଯୋଡି ତନ୍ନ ତନ୍ନ କରି ଯାଞ୍ଚ କରିବ ଏହି ମେସିନ୍ । ଏବଂ ଏହି ସବୁ ଯାଞ୍ଚ ପାଇଁ ମେସିନକୁ ମାତ୍ର ୨୦ ସେକେଣ୍ଡ ସମୟ ଲାଗିବ । ଏବଂ ଏହା ପରେ ଆପଣ ଆପଣଙ୍କ କରୋନା ରିପୋର୍ଟ ତୁରନ୍ତ ପାଇପାରିବେ ।