କନକ ବ୍ୟୁରୋ: କରୋନା ଯନ୍ତ୍ରଣା କମିନାହିଁ କିନ୍ତୁ ଆଶା ଦେଖାଦେଇଛି ଯେ ଆଗକୁ ସଂଖ୍ୟା କମିବ । ଆଜି ସଂକ୍ରମଣ ହାର ୧୧.୨୬ ପ୍ରତିଶତ ରହିଛି । ଅର୍ଥାତ୍ ରାଜ୍ୟରେ ୧୦୦ ଜଣଙ୍କ ପରୀକ୍ଷାରେ ୧୧ ଜଣ ପଜିଟିଭ୍ ଆସୁଛନ୍ତି । ମେ ମାସରେ ପଜିଟିଭିଟି ହାର ବା ସଂକ୍ରମଣ ହାର ୨୬ ପ୍ରତିଶତକୁ ପହଁଚି ଯାଇଥିଲ।। ଏବେ ଜୁନ୍ ମାସ ଆରମ୍ଭରେ ଏହା ୧୧.୨୬ ପ୍ରତିଶତକୁ ଖସି ଆସିଛି।
ମେ’ ମାସରେ ଓଡ଼ିଶାରେ କରୋନା ଦ୍ୱିତୀୟ ଲହରର ବଡ଼ ପ୍ରଭାବ ଦେଖିବାକୁ ମିଳିଥିଲା । ମେ’ ମାସରେ ମୋଟ ୩,୨୦,୮୦୩ ସଂକ୍ରମିତ ଚିହ୍ନଟ ହୋଇଥିଲେ । ମେ’ ମାସରେ ଦୈନିକ ହାରାହାରି ୧୦,୩୪୮ ପଜିଟିଭ୍ ମାମଲା ଆସିଥିଲା । ଆଉ ଏହି ଗୋଟିଏ ମାସରେ ୭୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ସ୍ୱାସ୍ଥ୍ର୍ୟ ବିଭାଗ ହିସାବ ଅନୁଯାୟୀ ମେ’ ମାସରେ ରାଜ୍ୟରେ ହାରାହାରି ୨୨.୯ ଜଣଙ୍କ ମୃତ୍ୟୁ ହୋଇଥିଲା ।
- ରାଜ୍ୟରେ ଖସୁଛି କରୋନା ମିଟର
- ଧୀରେ ଧୀରେ କମୁଛି ସଂକ୍ରମଣ ହାର
ମେ’ ଶେଷ ସପ୍ତାହ ଆରମ୍ଭରେ ରାଜ୍ୟରେ ଦ୍ୱିତୀୟ ଲହରର ସବୁଠୁ ଅଧିକ ପଜିଟିଭ୍ ମାମଲା ସାମନାକୁ ଆସିଥିଲା । ମେ’ ୨୩ ତାରିଖରେ ଚିହ୍ନଟ ହୋଇଥିଲେ ୧୨,୮୫୨ ଆକ୍ରାନ୍ତ । ଏହା ପରେ ଧୀରେ ଧୀରେ ତଳକୁ ଖସିଥିଲା ସଂକ୍ରମଣ ସଂଖ୍ୟା । ଜୁନ ମାସ ଆରମ୍ଭରେ ସଂକ୍ରମଣ ହାର କମିବାରେ ଲାଗିଥିଲା । ଜୁନ ୧ ତାରିଖରେ ସଂକ୍ରମଣ ହାର ୧୪.୦୨ ପ୍ରତିଶତ ହୋଇଥିବା ବେଳେ ଜୁନ ୨ ଓ ୩ ତାରିଖରେ ୧୨.୫୯ ପ୍ରତିଶତ ରହିଥିଲା ସଂକ୍ରମଣ ହାର । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଂଟାରେ ୬୮ ହଜାର ୬୦୪ କରୋନା ପରୀକ୍ଷା ହୋଇଥିବା ବେଳେ ୭ ହଜାର ୭୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ସଂକ୍ରମଣ ହାର ରହିଛି ୧୧.୨୬ ପ୍ରତିଶତ । ଆଉ ଏହି ୪ ଦିନରେ ୧୫୮ ଜଣଙ୍କ ମୃତ୍ୟୁ ହୋଇଛି ।
ଓଡ଼ିଶା କରୋନା ମିଟର
ତାରିଖ ଟେଷ୍ଟ ଆକ୍ରାନ୍ତ ସଂକ୍ରମଣ ହାର ମୃ୍ତ୍ୟୁ
ଜୁନ ୧ ୬୨,୨୯୩ ୮,୭୩୫ ୧୪.୦୨% ୩୭
ଜୁନ ୨ ୬୬,୬୮୩ ୮,୩୯୯ ୧୨.୫୯% ୪୦
ଜୁନ ୩ ୭୦,୧୭୮ ୮,୮୩୯ ୧୨.୫୯% ୪୨
ଜୁନ ୪ ୬୮,୬୦୪ ୭,୭୨୯ ୧୧.୨୬% ୩୯
ସେପଟେ ଦେଶରେ ପୁଣି ତଳମୁହାଁ ହୋଇଛି କରୋନା ଗ୍ରାଫ୍ । ଗତ ୨୪ ଘଂଟାରେ ଦେଶରେ ୧,୩୨,୩୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ୬.୩୮ ପ୍ରତିଶତକୁ ଖସିଆସିଛି ।